ଭୁବନେଶ୍ୱର: ତାମିଲନାଡୁର ତିରୁଭଲ୍ଲୁର ଜିଲ୍ଲାସ୍ଥିତ ଏକ ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ (ସୀ-ଫୁଡ୍‌) କାରଖାନାରେ ଘଟିଥିବା ଭୟାବହ ଆମୋନିଆ ଗ୍ୟାସ ଲିକ୍ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ଆହୁରି ବଢ଼ିବାରେ ଲାଗିଛି। ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ଓଡ଼ିଆ ମହିଳା ଶ୍ରମିକଙ୍କ ମୃତ୍ୟୁ ଘଟିବା ପରେ ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓଡ଼ିଆ ଶ୍ରମିକଙ୍କ ସଂଖ୍ୟା ୧୫ରେ ପହଞ୍ଚିଛି।

ମୃତ ମହିଳା ଶ୍ରମିକ ଜଣକ ହେଉଛନ୍ତି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକର ଜୁଆଙ୍ଗ ସମ୍ପ୍ରଦାୟର ରୋହିଣୀ ଜୁଆଙ୍ଗ। ଗ୍ୟାସ ଲିକ୍ ସଂସ୍ପର୍ଶରେ ଆସିବା ପରଠାରୁ ସେ ଗୁରୁତର ଅସୁସ୍ଥ ହୋଇ ତାମିଲନାଡୁର ଏକ ମେଡିକାଲରେ ଚିକିତ୍ସିତ ହେଉଥିଲେ। ଡାକ୍ତରଙ୍କ ଆପ୍ରାଣ ଚେଷ୍ଟା ସତ୍ତ୍ୱେ ତାଙ୍କୁ ବଞ୍ଚାଯାଇ ପାରିନାହିଁ।

ରୋହିଣୀଙ୍କ ମୃତ୍ୟୁ ପରେ ତାଙ୍କ ମରଶରୀରକୁ ଓଡ଼ିଶା ଅଣାଯାଇ ନିଜ ଗାଁରେ ପହଞ୍ଚାଯିବା ପରେ ସମଗ୍ର ଅଞ୍ଚଳରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ପରିବାର ଲୋକଙ୍କ କାନ୍ଦବୋବାଲରେ ଗାଁ ଦାଣ୍ଡ ଫାଟି ପଡ଼ୁଥିବା ବେଳେ ପୂରା ଗ୍ରାମବାସୀ ଏହି ଝିଅର ଅକାଳ ବିୟୋଗରେ ମ୍ରିୟମାଣ ହୋଇପଡ଼ିଛନ୍ତି।ଏହି ବଡ଼ ଶିଳ୍ପ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୧୫ ଜଣ ଓଡ଼ିଆଙ୍କ ମଧ୍ୟରୁ କେବଳ କେନ୍ଦୁଝର ଜିଲ୍ଲାରୁ ୧୪ ଜଣ ରହିଥିବା ବେଳେ ଅନୁଗୋଳ ଜିଲ୍ଲା ପାଲଲହଡ଼ା ଅଞ୍ଚଳରୁ ଜଣେ ଶ୍ରମିକ ରହିଛନ୍ତି।

ମୃତକଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଜୁଆଙ୍ଗ ଜନଜାତିର ଯୁବତୀ ଓ ମହିଳା, ଯେଉଁମାନେ ପରିବାର ପ୍ରତିପୋଷଣ ପାଇଁ ଦାଦନ ଖଟିବାକୁ ସୁଦୂର ତାମିଲନାଡୁ ଯାଇଥିଲେ। ଓଡ଼ିଶା ସରକାର ଏହି ସମ୍ପୂର୍ଣ୍ଣ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୂର୍ବରୁ ମୃତକଙ୍କ ପରିବାର ପାଇଁ ସହାୟତା ରାଶି ଘୋଷଣା କରିସାରିଛନ୍ତି।

ଓଡ଼ିଶା ଶ୍ରମ ବିଭାଗର ଏକ ସ୍ୱତନ୍ତ୍ର ଟିମ୍ ତାମିଲନାଡୁରେ ଉପସ୍ଥିତ ରହି ସ୍ଥାନୀୟ ପ୍ରଶାସନ ସହ ସମନ୍ୱୟ ରକ୍ଷା କରୁଛନ୍ତି।ପ୍ରଭାବିତ ପରିବାରଗୁଡ଼ିକୁ ସମସ୍ତ ପ୍ରକାର ଆର୍ଥିକ ଓ ସାମାଜିକ ସହାୟତା ଯୋଗାଇ ଦିଆଯାଉଛି। ଏହା ସହିତ ସେଠାରେ ଏବେ ମଧ୍ୟ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଅନ୍ୟ ଓଡ଼ିଆ ଶ୍ରମିକମାନଙ୍କର ଉପଯୁକ୍ତ ଚିକିତ୍ସା ଓ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ରାଜ୍ୟ ସରକାର ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ଅନେକ ଶ୍ରମିକ ସୁସ୍ଥ ହୋଇ ଓଡ଼ିଶା ଫେରିଆସିଥିବା ସୂଚନା ମିଳିଛି।