ଛତ୍ରପୁର: ବନ୍ୟା ଦ୍ୱାରା ପ୍ରଭାବିତ ପରିବାରଗୁଡ଼ିକ ପ୍ରତି ସମବେଦନା ଓ ସହାନୁଭୂତିର ହାତ ବଢ଼ାଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ନିଆରା ଢଙ୍ଗରେ ଦୀପାବଳି ପାଳନ କରିଛି। ବନ୍ୟା ବିପନ୍ନ ପରିବାରଗୁଡ଼ିକ ମୁହଁରେ ହସ ଫୁଟାଇବା ଏବଂ ଉତ୍ସବର ଆନନ୍ଦ ବାଣ୍ଟିବା ପାଇଁ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ବିଭିନ୍ନ ବନ୍ୟା ପ୍ରଭାବିତ ଗ୍ରାମରେ ପହଞ୍ଚି ସ୍ୱତନ୍ତ୍ର ଦୀପାବଳି ଉତ୍ସବ କିଟ୍ ବଣ୍ଟନ କରିଛନ୍ତି।
ଛତ୍ରପୁର ବ୍ଲକ ବଡ଼ମାଧପୁର ପଞ୍ଚାୟତର ବାରଙ୍ଗ ଗ୍ରାମରେ ଆୟୋଜିତ କାର୍ଯ୍ୟକ୍ରମରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା, ଅତିରିକ୍ତ ଜିଲ୍ଲାପାଳ ଦେବଦତ୍ତ ପଣ୍ଡା, ଛତ୍ରପୁର ବିଡିଓ ସମ୍ବିତ ସଂଗ୍ରାମଜିତ ସାହୁ ଏବଂ ବ୍ଲକ ଅଧ୍ୟକ୍ଷା ଏସ. ଶାରଦା ରେଡ୍ଡୀ ଯୋଗଦେଇଥିଲେ। ଅଧିକାରୀମାନେ ପ୍ରଥମେ ଗ୍ରାମର ଠାକୁରାଣୀ ମନ୍ଦିରରେ ଦୀପ ଦାନ ଓ ପ୍ରାର୍ଥନା କରିବା ପରେ ଗ୍ରାମବାସୀ କିଶୋର ମହାରଣାଙ୍କ ଘରକୁ ଯାଇ ତାଙ୍କ ପରିବାରକୁ ଉତ୍ସବ କିଟ୍ ପ୍ରଦାନ କରିଥିଲେ।
ଏହି କିଟ୍ରେ ମାଟି ଦୀପ, ସଳିତା, ମିଠା, ଲୁଙ୍ଗି, ଶାଢ଼ୀ ଏବଂ ଅନ୍ୟାନ୍ୟ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ରହିଥିଲା। ବିଧାୟକ ଓ ଜିଲ୍ଲାପାଳ ଗ୍ରାମର କୋମଳମତି ଶିଶୁମାନଙ୍କ ସହ ବାଣ ଫୁଟାଇ ଦୀପାବଳି ଆନନ୍ଦ ଉପଭୋଗ କରିଥିଲେ। ସେହିପରି ପୁରୁଷୋତ୍ତମପୁର ବ୍ଲକର ହାଣ୍ଡିଘର ଗ୍ରାମରେ ଛତ୍ରପୁର ଉପ-ଜିଲ୍ଲାପାଳ ଶିବାସିଷ ବାରିକ, ତହସିଲଦାର ବିନୋଦ କୁମାର ବେହେରା ଏବଂ ଆସିକା ବ୍ଲକର ନବରତ୍ନପୁର ଗ୍ରାମରେ ଜିଲ୍ଲାପାଳ ନିଜେ ଉପସ୍ଥିତ ରହି ବନ୍ୟା ବିପନ୍ନଙ୍କୁ କିଟ୍ ବାଣ୍ଟିଥିଲେ।ଅନ୍ୟପଟେ, ଗଞ୍ଜାମ ଜିଲ୍ଲାପାଳଙ୍କ ଆହ୍ୱାନକ୍ରମେ ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀ ନିଜର ଗୋଟିଏ ଦିନର ଦରମା ବନ୍ୟା ପୀଡ଼ିତଙ୍କ ରିଲିଫ୍ ସହାୟତା ପାଇଁ ଦାନ କରିଛନ୍ତି। ବନ୍ୟା କ୍ଷତିଗ୍ରସ୍ତ ପରିବାରଗୁଡ଼ିକ ଯେପରି ଆଲୋକର ପର୍ବ ଦୀପାବଳିରୁ ବଞ୍ଚିତ ନ ହୁଅନ୍ତି, ସେଥିପାଇଁ ଜିଲ୍ଲା ପ୍ରଶାସନର ଏହି କାର୍ଯ୍ୟକ୍ରମ ସମାଜରେ ଏକ ସୁନ୍ଦର ସହାନୁଭୂତିର ସନ୍ଦେଶ ଦେଇଛି।




