ଭୁବନେଶ୍ୱର: ଓଡ଼ିଶାର ନୂତନ ମନୋନୀତ ରାଜ୍ୟପାଳ ବ୍ରଜ ମୋହନ ରାମ ଆଜି (ଶନିବାର) ଭୁବନେଶ୍ୱରରେ ପହଞ୍ଚୁଛନ୍ତି। ଆସନ୍ତାକାଲି (ରବିବାର) ଅନୁଷ୍ଠିତ ହେବାକୁ ଥିବା ଆନୁଷ୍ଠାନିକ ଶପଥ ଗ୍ରହଣ ଉତ୍ସବ ପୂର୍ବରୁ ସେ ଓଡ଼ିଶା ଗସ୍ତରେ ଆସୁଛନ୍ତି।
ସରକାରୀ ଗସ୍ତସୂଚୀ ଅନୁଯାୟୀ, ମନୋନୀତ ରାଜ୍ୟପାଳ ପୂର୍ବାହ୍ନ ୧୧:୩୦ ମିନିଟ୍ରେ ରାଞ୍ଚିର ବିର୍ସା ମୁଣ୍ଡା ବିମାନବନ୍ଦରରୁ ଏକ ସ୍ୱତନ୍ତ୍ର ବିମାନ ଯୋଗେ ବାହାରି ମଧ୍ୟାହ୍ନ ୧୨:୩୦ ମିନିଟ୍ରେ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରେ ପହଞ୍ଚିବେ। ସେଠାରେ ତାଙ୍କୁ ସମ୍ମାନଜନକ ଗାର୍ଡ ଅଫ୍ ଅନର ପ୍ରଦାନ କରାଯିବ।
ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଓଡ଼ିଶା ବିଧାନସଭା ବାଚସ୍ପତି ସୁରମା ପାଢ଼ୀ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ପୋଲିସ ମହାଶୋଧକ ବିନୟତୋଷ ମିଶ୍ର ଏବଂ ଅନ୍ୟାନ୍ୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ରହି ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜଣାଇବେ।
ଭୁବନେଶ୍ୱରରେ ସମ୍ବର୍ଦ୍ଧନା ଗ୍ରହଣ କରିବା ପରେ ନୂତନ ରାଜ୍ୟପାଳ ସଡ଼କ ପଥରେ ପୁରୀ ଅଭିମୁଖେ ଯାତ୍ରା କରିବେ। ସେ ଅପରାହ୍ନ ୨:୪୦ ମିନିଟ୍ରେ ପୁରୀ ଲୋକ ଭବନରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ସନ୍ଧ୍ୟା ୫:୩୦ ମିନିଟ୍ରେ ସେ ଶ୍ରୀମନ୍ଦିର ଗସ୍ତ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ଭିକ୍ଷା କରିବେ। ସନ୍ଧ୍ୟା ୬:୧୫ ମିନିଟ୍ରେ ସେ ପୁରୀରୁ ବାହାରି ରାତି ୭:୨୫ ମିନିଟ୍ରେ ଭୁବନେଶ୍ୱରସ୍ଥିତ ଲୋକ ଭବନରେ ପହଞ୍ଚିବେ।
ଆସନ୍ତାକାଲି (ଅକ୍ଟୋବର ୧୮) ପୂର୍ବାହ୍ନ ୧୧ଟାରେ ଭୁବନେଶ୍ୱର ଲୋକ ଭବନର ନୂତନ ଅଭିଷେକ ହଲ୍ରେ ନବରଥା ତଥା ପବିତ୍ର ନବରାତ୍ରୀ ଅବସରରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ।
ସୂଚନାଯୋଗ୍ୟ ଯେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିକଟରେ ହରିବାବୁ କଂଭମ୍ପାଟିଙ୍କ ସ୍ଥାନରେ ବ୍ରଜ ମୋହନ ରାମଙ୍କୁ ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ କରିଛନ୍ତି। ସେ ଝାଡ଼ଖଣ୍ଡର ପଲାମୁ ଜିଲ୍ଲାର ଜଣେ ବରିଷ୍ଠ ବିଜେପି ନେତା ଏବଂ ପଲାମୁ ଲୋକସଭା ଆସନରୁ ତିନିଥର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି।
ଅନ୍ୟପଟେ, ନିଜର କାର୍ଯ୍ୟକାଳ ଶେଷ କରି ରାଜ୍ୟପାଳ ହରିବାବୁ କଂଭମ୍ପାଟି ଶୁକ୍ରବାର ଓଡ଼ିଶାରୁ ବିଦାୟ ନେଇଛନ୍ତି, ଯାହାଙ୍କୁ ମୁଖ୍ୟମନ୍ତ୍ରୀ ମାଝୀ ବିମାନବନ୍ଦରରେ ବିଦାୟ ସମ୍ବର୍ଦ୍ଧନା ଜଣାଇଥିଲେ।




