ଭୁବନେଶ୍ୱର: ଗତ ଶୁକ୍ରବାର ଶରଧାବାଲିରେ ତିନି ରଥ ପହଞ୍ଚିବା ପରେ, ଶନିବାର ବିଳମ୍ବିତ ରାତିରେ ଚତୁର୍ଦ୍ଧାମୂର୍ତ୍ତି ଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପକୁ ବିଜେ କରିଛନ୍ତି। ପାରମ୍ପରିକ ଗୋଟି ପହଣ୍ଡି ନୀତି ଅନୁଯାୟୀ ମହାପ୍ରଭୁଙ୍କୁ ରଥରୁ ଓହ୍ଲାଇ ଗୁଣ୍ଡିଚା ମନ୍ଦିର ଭିତରକୁ ନିଆଯାଇଥିଲା। ଗତକାଲି ସନ୍ଧ୍ୟା ୭ଟା ପରେ ଏହି ଭବ୍ୟ ଆଡ଼ପ ବିଜେ ନୀତି ଆରମ୍ଭ ହୋଇଥିଲା। ବିଜେ ସମୟରେ ପୂରା ଶରଧାବାଲି ହୁଳହୁଳି, ଘଣ୍ଟଶବ୍ଦ ଏବଂ “ଜୟ ଜଗନ୍ନାଥ” ଧ୍ୱନିରେ ପ୍ରକମ୍ପିତ ହୋଇଉଠିଥିଲା।

ରୀତିନୀତି ଅନୁଯାୟୀ, ଶନିବାର ସକାଳେ ତିନି ରଥ ଉପରେ ମହାପ୍ରଭୁଙ୍କ ମଙ୍ଗଳ ଆଳତି ପରେ ମଇଲମ, ତଡ଼ପଲାଗି, ଅବକାଶ, ବେଶ ଶୋଧ, ଗୋପାଳବଲ୍ଲଭ, ସକାଳ ଧୂପ ଓ ମଧ୍ୟାହ୍ନ ଧୂପ ସମ୍ପନ୍ନ ହୋଇଥିଲା। ଅପରାହ୍ନରେ ସନ୍ଧ୍ୟା ଧୂପ ଓ ସନ୍ଧ୍ୟା ଆଳତି ଶେଷ ହେବା ପରେ ପ୍ରଥମେ ମଦନମୋହନ ଓ ପରେ ଚକ୍ରରାଜ ସୁଦର୍ଶନଙ୍କ ଗୋଟି ପହଣ୍ଡି ହୋଇଥିଲା। ଏହାପରେ ବଡ଼ଠାକୁର ବଳଭଦ୍ର ଏବଂ ଦେବୀ ସୁଭଦ୍ରା ମନ୍ଦିରକୁ ବିଜେ କରିଥିଲେ। ଶେଷରେ ମସ୍ତକରେ ମନୋରମ ଟାହିଆ ହଲାଇ ଭାବଗ୍ରାହୀ ଶ୍ରୀଜଗନ୍ନାଥ ନାକଚଣା ଦ୍ୱାର ଦେଇ ଗୁଣ୍ଡିଚା ମନ୍ଦିର ଭିତରକୁ ପ୍ରବେଶ କରିଥିଲେ।

ଆଜି ରବିବାର ସକାଳ ୮ଟା ୩୦ ମିନିଟରୁ ଶ୍ରୀଜୀଉମାନଙ୍କର ସାହାଣମେଲା ଦର୍ଶନ ଆରମ୍ଭ ହୋଇଛି। ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ କଲେ କୋଟି ଜନ୍ମର ପାପ କ୍ଷୟ ହୁଏ ବୋଲି ବିଶ୍ୱାସ ରହିଥିବାରୁ, ହଜାର ହଜାର ଶ୍ରଦ୍ଧାଳୁ ଗୁଣ୍ଡିଚା ମନ୍ଦିରରେ ଭିଡ଼ ଜମାଇଛନ୍ତି। ଏହାସହ ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ମହାପ୍ରସାଦ ବା ‘ଆଡ଼ପ ଅବଢ଼ା’ ମଧ୍ୟ ଉପଲବ୍ଧ ହେଉଛି। ମହାପ୍ରଭୁଙ୍କ ଏହି ୯ ଦିନିଆ ଗୁଣ୍ଡିଚା ଯାତ୍ରା ସମୟରେ ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।