କେନ୍ଦୁଝର: SIR କାର୍ଯ୍ୟରେ ଅବହେଳା ସହ ଅନ୍ୟାନ୍ୟ ପ୍ରଶାସନିକ ଅନିୟମିତତା ଅଭିଯୋଗରେ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର ବ୍ଲକ ଶିକ୍ଷା ଅଧିକାରୀ (BEO) ରାଜୀବ ଦଳାଇଙ୍କୁ ନିଲମ୍ବିତ କରାଯାଇଛି। ବୁଧବାର ମଧ୍ୟାହ୍ନରେ ସ୍ପେଶାଲ ମେସେଞ୍ଜର ମାଧ୍ୟମରେ ତାଙ୍କୁ ନିଲମ୍ବନ ଆଦେଶ ଦିଆଯାଇଥିବା ଜଣାପଡ଼ିଛି।

ନିଲମ୍ବନ ଆଦେଶ ପାଇବା ପରେ ରାଜୀବ ଦଳାଇ ଚିଠି ନେଇ କାର୍ଯ୍ୟାଳୟ ଛାଡ଼ି ଚାଲିଯାଇଥିବା ସୂଚନା ମିଳିଛି। ତାଙ୍କ ପ୍ରତିକ୍ରିୟା ପାଇଁ ଫୋନ୍‌ରେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ୍ ଉଠାଇନଥିବାରୁ ତାଙ୍କ ପକ୍ଷ ଜଣାପଡ଼ିନାହିଁ।

କ’ଣ ରହିଛି ଅଭିଯୋଗ?

BEOଙ୍କ ବିରୋଧରେ SIR କାର୍ଯ୍ୟରେ ନିୟୋଜିତ ଶିକ୍ଷକଙ୍କୁ ଇଚ୍ଛାମୁତାବକ ସ୍ଥାନାନ୍ତର କରିବା, ଡେପୁଟେସନ୍ ନାମରେ ଶିକ୍ଷକଙ୍କୁ ମନଇଚ୍ଛା ବଦଳି କରିବା ଭଳି ଅଭିଯୋଗ ରହିଥିବା କୁହାଯାଉଛି। ଏହାଛଡ଼ା ସେ ନିୟମିତ ଭାବେ କାର୍ଯ୍ୟାଳୟରେ ଉପସ୍ଥିତ ରହୁନଥିବା ଏବଂ ବିଦ୍ୟାଳୟ ତଦାରଖରେ କୋହଳ ମନୋଭାବ ପୋଷଣ କରୁଥିବା ନେଇ ମଧ୍ୟ ଅଭିଯୋଗ ରହିଛି।

ତେବେ ଏହି ଅଭିଯୋଗଗୁଡ଼ିକ ମଧ୍ୟରୁ କେଉଁ ନିର୍ଦ୍ଦିଷ୍ଟ କାରଣ ଆଧାରରେ ନିଲମ୍ବନ ଆଦେଶ ହୋଇଛି, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ନିଲମ୍ବନ ଆଦେଶର ସମ୍ପୂର୍ଣ୍ଣ ବିବରଣୀ ସାର୍ବଜନୀନ ହୋଇନଥିବାରୁ ପ୍ରକୃତ କାରଣ ନେଇ ନିଶ୍ଚିତ ଭାବେ କିଛି କୁହାଯାଇପାରୁନାହିଁ।

SIR କାର୍ଯ୍ୟକୁ ନେଇ କଠୋରତା

ରାଜ୍ୟରେ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ ପ୍ରକ୍ରିୟା (SIR) ଚାଲିଥିବା ବେଳେ ଏହି କାର୍ଯ୍ୟରେ ନିୟୋଜିତ କର୍ମଚାରୀ ଓ ଅଧିକାରୀଙ୍କ ଦାୟିତ୍ୱକୁ ଗୁରୁତ୍ୱ ଦିଆଯାଉଛି। ଏପରି ସମୟରେ ହାଟଡିହି BEOଙ୍କ ବିରୋଧରେ ହୋଇଥିବା ନିଲମ୍ବନ ନିର୍ଦ୍ଦେଶ ପ୍ରଶାସନିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି।