କଟକ: ଉତ୍କଳ ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସମସ୍ୟା ସମାଧାନ ପାଇଁ ‘ଓମ୍ବୁଡ୍ସମ୍ୟାନ୍’ (ଲୋକପାଳ) ନିଯୁକ୍ତି ହୋଇନଥିବା ନେଇ ହାଇକୋର୍ଟ କ୍ଷୋଭ ପ୍ରକାଶ କରିଛନ୍ତି। କେନ୍ଦ୍ରୀୟ ନିୟମ ଅନୁଯାୟୀ ଏହି ନିଯୁକ୍ତି କାହିଁକି ହୋଇନାହିଁ, ସେ ନେଇ ଓଡ଼ିଶା ହାଇକୋର୍ଟ ବିଶ୍ୱବିଦ୍ୟାଳୟର କୁଳସଚିବଙ୍କୁ ନୋଟିସ୍ ଜାରି କରିଛନ୍ତି। ଏଥିସହ ଦୁଇ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ଏବଂ ଜଷ୍ଟିସ ଏମ.ଏସ. ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଭୁବନେଶ୍ୱରର ମାନବାଧିକାର କର୍ମୀ ତଥା ଆଇନଜୀବୀ ପ୍ରବୀର କୁମାର ଦାସଙ୍କ ଦ୍ୱାରା ଦାୟର ଜନସ୍ୱାର୍ଥ ମାମଲାର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି।

ୟୁଜିସି (UGC) ନିୟମାବଳୀ-୨୦୨୧ ଅନୁଯାୟୀ, ପ୍ରତ୍ୟେକ ବିଶ୍ୱବିଦ୍ୟାଳୟରେ ଜଣେ ଓମ୍ବୁଡ୍ସମ୍ୟାନ୍ ଏବଂ ଛାତ୍ର ଅଭିଯୋଗ ନିରାକରଣ କମିଟି (SGRC) ରହିବା ଅନିବାର୍ଯ୍ୟ। ଏହି ନିୟମ ୨୦୨୩ ଏପ୍ରିଲ ୧୧ରୁ ଲାଗୁ ହୋଇଥିବା ବେଳେ ବିଜ୍ଞପ୍ତି ପ୍ରକାଶର ୩୦ ଦିନ ମଧ୍ୟରେ ନିଯୁକ୍ତି ପ୍ରକ୍ରିୟା ଶେଷ କରିବାକୁ ନିର୍ଦ୍ଦେଶ ଥିଲା। କିନ୍ତୁ ଦୁଇ ବର୍ଷ ବିତିଯାଇଥିଲେ ମଧ୍ୟ ଉତ୍କଳ ବିଶ୍ୱବିଦ୍ୟାଳୟରେ ଏହି ପଦବୀ ଖାଲି ପଡ଼ିଛି।

ଆବେଦନକାରୀ ଶ୍ରୀ ଦାସ ଦର୍ଶାଇଛନ୍ତି ଯେ, ୨୦୨୪ ମାର୍ଚ୍ଚ ମାସରେ ସେ କୁଳପତିଙ୍କୁ ଏନେଇ ପତ୍ର ଲେଖିଥିଲେ। ୨୦୨୪ ଅକ୍ଟୋବରରେ ଆରଟିଆଇ (RTI) ଜରିଆରେ ମିଳିଥିବା ସୂଚନା ଅନୁଯାୟୀ, ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ନିଯୁକ୍ତି ପ୍ରକ୍ରିୟା ‘ସକ୍ରିୟ ବିଚାରାଧୀନ’ ଅଛି। ନିୟମ ଅନୁଯାୟୀ, ଜଣେ ଅବସରପ୍ରାପ୍ତ କୁଳପତି, ପୂର୍ବତନ ଜିଲ୍ଲା ଜଜ୍ କିମ୍ବା ୧୦ ବର୍ଷର ଅଭିଜ୍ଞତା ଥିବା ଅବସରପ୍ରାପ୍ତ ପ୍ରଫେସରଙ୍କୁ ଓମ୍ବୁଡ୍ସମ୍ୟାନ୍ ଭାବେ ନିଯୁକ୍ତି ଦେବାର ବ୍ୟବସ୍ଥା ରହିଛି।

ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଆସନ୍ତା ଜୁଲାଇ ୮ ତାରିଖକୁ ଦିନ ଧାର୍ଯ୍ୟ କରାଯାଇଛି।