ସୋନପୁର: ଜିଲ୍ଲାରେ ଗତ ଦୁଇ ଦିନ ଧରି ଲଗାତାର ପ୍ରବଳ ବର୍ଷା ଜାରି ରହିଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ସୋନପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ସମସ୍ତ ଶିକ୍ଷାନୁଷ୍ଠାନ ପାଇଁ ଛୁଟି ଘୋଷଣା କରାଯାଇଛି। ଜିଲ୍ଲାପାଳ ନୃପରାଜ ସାହୁଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଚିତ୍ତରଞ୍ଜନ ମିଶ୍ର ଆଜି ସକାଳେ ଟେଲିଫୋନ ଯୋଗେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଜିଲ୍ଲା ଶିକ୍ଷା ଅଧିକାରୀ ମୀନାରାଣୀ ପ୍ରଧାନ ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ବନ୍ଦ ରଖିବାକୁ ଆଦେଶ ଜାରି କରିଥିଲେ।
ପ୍ରଶାସନର ନିର୍ଦ୍ଦେଶକୁ ଖାତିର କଲେନି ବେସରକାରୀ ସ୍କୁଲ
ଜିଲ୍ଲା ପ୍ରଶାସନ ପକ୍ଷରୁ ଛୁଟି ଘୋଷଣା କରାଯାଇଥିଲେ ମଧ୍ୟ ସହରର କେତେକ ଘରୋଇ ଶିକ୍ଷାନୁଷ୍ଠାନ ବିଶେଷ କରି ସକାଳ ୬ଟାରୁ ଖୋଲୁଥିବା କିଛି ଶିଶୁ ବିଦ୍ୟା ମନ୍ଦିର ଏହି ନିର୍ଦ୍ଦେଶକୁ ପାଳନ କରିନଥିଲେ। ପ୍ରଶାସନିକ ଆଦେଶ ସତ୍ତ୍ୱେ ଏହି ସ୍କୁଲଗୁଡ଼ିକ ଖୋଲା ରହିଥିଲା। ଯେଉଁଥିପାଇଁ ଛାତ୍ରଛାତ୍ରୀ ଏବଂ ସେମାନଙ୍କ ଅଭିଭାବକମାନେ ପ୍ରବଳ ବର୍ଷା ଭିତରେ ଯାତାୟାତ କରିବା ସମୟରେ ଚରମ ଅସୁବିଧାର ସମ୍ମୁଖୀନ ହୋଇଥିଲେ।
ଅଭିଭାବକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ
ଜିଲ୍ଲା ପ୍ରଶାସନର ଜରୁରୀକାଳୀନ ନିର୍ଦ୍ଦେଶକୁ ସ୍କୁଲ କର୍ତ୍ତୃପକ୍ଷ କାର୍ଯ୍ୟକାରୀ ନକରିବା ଏବଂ ପିଲାମାନଙ୍କ ସୁରକ୍ଷା ପ୍ରତି ଅବହେଳା ପ୍ରଦର୍ଶନ କରିଥିବାରୁ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସ୍କୁଲ କର୍ତ୍ତୃପକ୍ଷଙ୍କ ଏଭଳି ବେପରୁଆ ମନୋଭାବକୁ ନେଇ ଅଭିଭାବକ ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବଳ ଜନ ଅସନ୍ତୋଷ ଦେଖିବାକୁ ମିଳିଛି। ପ୍ରବଳ ବର୍ଷା ସମୟରେ ପିଲାମାନଙ୍କୁ ବିପଦ ମଧ୍ୟକୁ ଠେଲି ଦେଇଥିବା ଏହି ସ୍କୁଲଗୁଡ଼ିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି।




