ଭୁବନେଶ୍ୱର: ଅକ୍ଟୋବର ମାସ ଆରମ୍ଭ ହେଉଣୁ ପୁଣିଥରେ ସାମୁଦ୍ରିକ ଝଡ଼ ବା ବାତ୍ୟା ଭୟ ରାଜ୍ୟବାସୀଙ୍କୁ ଘାରିବାରେ ଲାଗିଛି। ଭାରତୀୟ ପାଣିପାଗ ବିଭାଗ (IMD) ର ପୂର୍ବାନୁମାନ ଅନୁଯାୟୀ, ବଙ୍ଗୋପସାଗରରେ ପାଣିପାଗର ରୂପରେଖ ତୀବ୍ର ଗତିରେ ବଦଳିବାରେ ଲାଗିଛି ଏବଂ ମୌସୁମୀ ପରବର୍ତ୍ତୀ ବାତ୍ୟା ଋତୁ ଆରମ୍ଭ ହୋଇସାରିଛି।
ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଅକ୍ଟୋବର ୧୨ ତାରିଖରେ ଉତ୍ତର ଆଣ୍ଡାମାନ ସାଗରରେ ଏକ ନୂତନ ଘୂର୍ଣ୍ଣିବଳୟ (ସାଇକ୍ଲୋମ ପ୍ରବେଶ କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଅକ୍ଟୋବର ୧୩ ସୁଦ୍ଧା ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ।ଏହି ସିଷ୍ଟମ୍ କ୍ରମଶଃ ଶକ୍ତିଶାଳୀ ହୋଇ ଅକ୍ଟୋବର ୧୫ ତାରିଖ ବେଳକୁ ଦକ୍ଷିଣ ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଅବପାତ ରେ ପରିଣତ ହେବାର ପୂର୍ବାନୁମାନ କରାଯାଇଛି।
ଅକ୍ଟୋବର ପ୍ରଥମ ସପ୍ତାହ ଶେଷ କିମ୍ବା ଦ୍ୱିତୀୟ ସପ୍ତାହ ଆରମ୍ଭ ସୁଦ୍ଧା ଓଡ଼ିଶା ସମେତ ଦେଶର ଅଧିକାଂଶ ରାଜ୍ୟରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସମ୍ପୂର୍ଣ୍ଣ ପ୍ରତ୍ୟାବର୍ତ୍ତନ କରିସାରିଥିବ। ମୌସୁମୀ ବିଦାୟ ନେବା ପରେ ବଙ୍ଗୋପସାଗରର ସମୁଦ୍ର ପୃଷ୍ଠର ତାପମାତ୍ରା ଓ ବାତାବରଣ ବାତ୍ୟା ସୃଷ୍ଟି ପାଇଁ ଅନୁକୂଳ ହୋଇଥାଏ।ଏହି ସିଷ୍ଟମ୍ ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଇବା ନେଇ ଆଶଙ୍କା ପ୍ରକାଶ ପାଇବା ପରେ ଉପକୂଳବର୍ତ୍ତୀ ଜନସାଧାରଣ ଓ ମତ୍ସ୍ୟଜୀବୀଙ୍କ ମଧ୍ୟରେ ଚିନ୍ତା ବୃଦ୍ଧି ପାଇଛି। ପାଣିପାଗ ବିଭାଗ ଏହି ସିଷ୍ଟମର ଗତିପଥ ଏବଂ ତୀବ୍ରତା ଉପରେ ନିରନ୍ତର ନଜର ରଖିଛି।
ପାଣିପାଗ ବିଶେଷଜ୍ଞଙ୍କ ଅନୁଯାୟୀ, ଅକ୍ଟୋବର ୫ ତାରିଖ ପରେ ଏହି ଲଘୁଚାପ କେତେ ଦୂର ଘନୀଭୂତ ହୋଇ ବାତ୍ୟାର ରୂପ ନେବ, ସେ ନେଇ ଚିତ୍ର ଅଧିକ ସ୍ପଷ୍ଟ ହେବ।




