ଭୁବନେଶ୍ୱର: ଆଜି ହେଉଛି ଓଡ଼ିଶାର ବରପୁତ୍ର ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକୀ। ଏହି ଅବସରରେ ସମଗ୍ର ଓଡ଼ିଶା ତାଙ୍କର ଅତୁଳନୀୟ ଅବଦାନକୁ ସ୍ମରଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ଦଳ ପକ୍ଷରୁ ଆଜିର ଦିନକୁ ‘ପ୍ରବାଦ ପୁରୁଷ ଦିବସ’ ଭାବେ ପାଳନ କରାଯାଉଛି। ଭୁବନେଶ୍ୱରସ୍ଥିତ ‘ଶଙ୍ଖ ଭବନ’ ସମେତ ରାଜ୍ୟର ସମସ୍ତ ନିର୍ବାଚନ ମଣ୍ଡଳୀରେ ରକ୍ତଦାନ ଶିବିର ଓ ସେବା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।

ଓଡ଼ିଶା ବିଧାନସଭା ପରିସରରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମୁଖ୍ୟମନ୍ତ୍ରୀ, ଉପ-ମୁଖ୍ୟମନ୍ତ୍ରୀ, ବାଚସ୍ପତି ଏବଂ ବହୁ ମନ୍ତ୍ରୀ ଓ ବିଧାୟକ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି।

ଆଜି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଓଡ଼ିଶା ନାଗରିକ ଫୋରମ ପକ୍ଷରୁ OUAT ପରିସରରେ ବିଜୁ ବାବୁଙ୍କୁ ସମ୍ମାନ ଜଣାଯାଇଛି। ଏଠାରେ ବହୁ ବରିଷ୍ଠ ନେତା (ଯେପରିକି ବିଜୟ ମହାପାତ୍ର, ସୌମ୍ୟରଞ୍ଜନ ପଟ୍ଟନାୟକ ଓ ଦିଲ୍ଲୀପ ରାୟ) ଏକତ୍ରିତ ହୋଇ ବିଜୁ ବାବୁଙ୍କ ବିଚାରଧାରା ଓ ଓଡ଼ିଶାର ସ୍ୱାଭିମାନ ଉପରେ ଆଲୋଚନା କରିଛନ୍ତି।

ଦୁଇଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇବା ସହ ଜଣେ କେନ୍ଦ୍ରମନ୍ତ୍ରୀ ଭାବେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ପାରାଦୀପ ବନ୍ଦର ପ୍ରତିଷ୍ଠା କରି ଓଡ଼ିଶାର ଅର୍ଥନୀତିକୁ ନୂଆ ଦିଗ ଦେଇଥିଲେ ବିଜୁବାବୁ ।

ମହିଳାମାନଙ୍କ ପାଇଁ ୩୩% ସଂରକ୍ଷଣ ପ୍ରଚଳନ କରି ସେ ଦେଶରେ ଇତିହାସ ରଚିଥିଲେ।ତାଙ୍କର ସାହସିକ ପାଇଲଟ୍ ଜୀବନ ଓ ଇଣ୍ଡୋନେସିଆ ମୁକ୍ତି ସଂଗ୍ରାମରେ ତାଙ୍କର ଅବଦାନ ପାଇଁ ତାଙ୍କୁ ‘ଭୂମିପୁତ୍ର’ ସମ୍ମାନ ମିଳିଥିଲା।

“ମୁଁ ଓଡ଼ିଶାକୁ ଏମିତି ଏକ ଉଚ୍ଚତାକୁ ନେବାକୁ ଚାହେଁ, ଯେଉଁଠି ପ୍ରତିଟି ଓଡ଼ିଆ ଗର୍ବର ସହ କହିପାରିବ – ମୁଁ ଜଣେ ଓଡ଼ିଆ।” – ଏହି ମହାନ ବାଣୀ ଆଜି ବି ପ୍ରତିଟି ଓଡ଼ିଆଙ୍କ ପ୍ରାଣରେ ସ୍ପନ୍ଦନ ସୃଷ୍ଟି କରୁଛି।