ଭୁବନେଶ୍ୱର/ମୁମ୍ବାଇ: ଓଡ଼ିଶାରେ ଶିଳ୍ପାୟନ ପ୍ରକ୍ରିୟା ଦ୍ରୁତ ଗତିରେ ଆଗେଇ ଚାଲିଛି। ରାଜ୍ୟକୁ ଖଣିଭିତ୍ତିକ ଅର୍ଥନୀତିରୁ କେମିକାଲ୍‌ ଓ ପେଟ୍ରୋକେମିକାଲ୍‌ ଶିଳ୍ପଭିତ୍ତିକ ଅର୍ଥନୀତିରେ ପରିଣତ କରିବା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ଏଥିପାଇଁ ରାଜ୍ୟରେ ନିବେଶ କରିବାକୁ ଦେଶବିଦେଶର ଶିଳ୍ପପତିଙ୍କୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ମୁମ୍ବାଇର ବମ୍ବେ ଏକ୍ସିବିସନ୍‌ ସେଣ୍ଟରରେ ଆରମ୍ଭ ହୋଇଥିବା ‘ଇଣ୍ଡିଆ କେମ୍‌ ୨୦୨୬’ର ୧୪ତମ ସଂସ୍କରଣରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଓଡ଼ିଶାର ଶିଳ୍ପ ସମ୍ଭାବନା ଓ ନିବେଶ ସୁଯୋଗ ସମ୍ପର୍କରେ ଆଲୋକପାତ କରିଥିଲେ। କେନ୍ଦ୍ର ରସାୟନ ଓ ସାର ମନ୍ତ୍ରଣାଳୟ ଏବଂ ଭାରତୀୟ ବାଣିଜ୍ୟ ଓ ଶିଳ୍ପ ମହାସଂଘ (ଫିକି)ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ତିନିଦିନିଆ କାର୍ଯ୍ୟକ୍ରମ ଅକ୍ଟୋବର ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ।

ମୁଖ୍ୟମନ୍ତ୍ରୀ କହିଥିଲେ, ଓଡ଼ିଶାର ପ୍ରଚୁର ଖଣିଜ ସମ୍ପଦ, ବନ୍ଦର ଓ ଶିଳ୍ପ ଭିତ୍ତିଭୂମିକୁ ଉପଯୋଗ କରି ଉଚ୍ଚମୂଲ୍ୟଯୁକ୍ତ ଶିଳ୍ପ ଉତ୍ପାଦନକୁ ଆଗକୁ ନିଆଯିବ। ପାରାଦୀପ, ଗୋପାଳପୁର ଓ ଧାମରା ବନ୍ଦର ରାଜ୍ୟକୁ ଦେଶୀୟ ଏବଂ ଅନ୍ତର୍ଜାତୀୟ ବଜାର ସହ ଯୋଡ଼ିବାରେ ସହାୟକ ହେଉଛି। ଏହି ସୁବିଧାକୁ ଆଧାର କରି କେମିକାଲ୍‌ ଓ ପେଟ୍ରୋକେମିକାଲ୍‌ କ୍ଷେତ୍ରରେ ନୂଆ ଶିଳ୍ପ ପ୍ରତିଷ୍ଠାର ସୁଯୋଗ ରହିଛି।

୨୨.୫୦ ଲକ୍ଷ କୋଟିରୁ ଅଧିକ ନିବେଶ ପ୍ରସ୍ତାବ

ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁସାରେ, ଓଡ଼ିଶାରେ ଅଢ଼େଇ ବର୍ଷରୁ କମ୍‌ ସମୟ ମଧ୍ୟରେ ପ୍ରାୟ ୨୦୦ଟି ଶିଳ୍ପ ପ୍ରତିଷ୍ଠାନ ସ୍ଥାପିତ ହୋଇଛି। ଏହି ପ୍ରତିଷ୍ଠାନଗୁଡ଼ିକ ପ୍ରାୟ ୩.୫୨ ଲକ୍ଷ କୋଟି ଟଙ୍କାର ନିବେଶକୁ ପ୍ରତିନିଧିତ୍ୱ କରୁଛନ୍ତି। ରାଜ୍ୟକୁ ମୋଟ ୨୨.୫୦ ଲକ୍ଷ କୋଟି ଟଙ୍କାରୁ ଅଧିକ ନିବେଶ ପ୍ରସ୍ତାବ ମିଳିଥିବାବେଳେ ଏଥିରୁ ୧୨.୫୦ ଲକ୍ଷ କୋଟି ଟଙ୍କାରୁ ଅଧିକ ପ୍ରସ୍ତାବକୁ ଉଚ୍ଚସ୍ତରୀୟ ମଞ୍ଜୁରୀ କର୍ତ୍ତୃପକ୍ଷ (ଏଚ୍‌ଏଲ୍‌ସିଏ) ଅନୁମୋଦନ ଦେଇଛନ୍ତି।

ଏହାସହ ୨୦୨୬ ସେପ୍ଟେମ୍ବରରେ ୟୁଏଇରେ ଆୟୋଜିତ ନିବେଶକ ସମ୍ମିଳନୀରୁ ପ୍ରାୟ ୨.୫ ଲକ୍ଷ କୋଟି ଟଙ୍କାର ନିବେଶ ପ୍ରସ୍ତାବ ମିଳିଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ। ଏଥିରେ ଅନ୍ତର୍ଜାତୀୟ ହୋଲ୍ଡିଂ କମ୍ପାନିଗୁଡ଼ିକରୁ ପ୍ରାୟ ୨.୧୦ ଲକ୍ଷ କୋଟି ଟଙ୍କାର ପ୍ରସ୍ତାବ ସାମିଲ ରହିଛି।

ପାରାଦୀପ, ଗୋପାଳପୁର ଓ ତାଳଚେରରେ ବଡ଼ ସୁଯୋଗ

କେମିକାଲ୍‌ ଶିଳ୍ପର ବିକାଶ ପାଇଁ ପାରାଦୀପ ପେଟ୍ରୋଲିୟମ୍‌, କେମିକାଲ୍ସ ଆଣ୍ଡ ପେଟ୍ରୋକେମିକାଲ୍ସ ଇନଭେଷ୍ଟମେଣ୍ଟ ରିଜନ୍‌ (ପିସିପିଆଇଆର୍‌), ଇଣ୍ଡିଆନ୍‌ ଅଏଲ୍‌ର ରିଫାଇନାରୀ ଓ ପେଟ୍ରୋକେମିକାଲ୍‌ କମ୍ପ୍ଲେକ୍ସ ଏବଂ ପାରାଦୀପ ପ୍ଲାଷ୍ଟିକ୍‌ ପାର୍କର ଗୁରୁତ୍ୱ ରହିଛି। ଏହାଦ୍ୱାରା ପଲିମର, ପ୍ୟାକେଜିଂ ଓ ଟେକ୍ନିକାଲ୍‌ ଟେକ୍ସଟାଇଲ୍‌ ଭଳି ଡାଉନ୍‌ଷ୍ଟ୍ରିମ୍‌ ଶିଳ୍ପର ବିକାଶ ସମ୍ଭବ ହେବ।

ସେହିପରି ଗୋପାଳପୁରରେ ରେଫ୍ରିଜରାଣ୍ଟ୍‌, ଫ୍ଲୋରୋକେମିକାଲ୍ସ, ଗ୍ରୀନ୍‌ ହାଇଡ୍ରୋଜେନ୍‌ ଓ ଗ୍ରୀନ୍‌ ଆମୋନିଆ କ୍ଷେତ୍ରରେ ସୁଯୋଗ ରହିଛି। ତାଳଚେର ଓ ଲଖନପୁରରେ କୋଇଲା ଗ୍ୟାସୀକରଣ ଭିତ୍ତିକ ପ୍ରକଳ୍ପ ମାଧ୍ୟମରେ ଶିଳ୍ପ ଉତ୍ପାଦନ ଓ ମୂଲ୍ୟଯୁକ୍ତ ଉତ୍ପାଦ ସୃଷ୍ଟିର ସମ୍ଭାବନା ରହିଛି।

ଇଣ୍ଡିଆ କେମ୍‌ ୨୦୨୬ରେ ଓଡ଼ିଶା ନିଜର ଶିଳ୍ପ ନୀତି, ଭିତ୍ତିଭୂମି, ଦକ୍ଷ ଶ୍ରମଶକ୍ତି ଓ ନିବେଶ ଅନୁକୂଳ ପରିବେଶକୁ ଉପସ୍ଥାପନ କରୁଛି। ରାଜ୍ୟର ଲକ୍ଷ୍ୟ ହେଉଛି ନିବେଶ ପ୍ରସ୍ତାବକୁ ବାସ୍ତବ ପ୍ରକଳ୍ପରେ ପରିଣତ କରିବା, ଶିଳ୍ପ ଉତ୍ପାଦନର ପରିସର ବଢ଼ାଇବା ଏବଂ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା।