ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ଥାନା ଅଧୀନ ଜରେଇକେଲା ଅଞ୍ଚଳରେ ଘଟିଥିବା ଏକ ଏଟିଏମ୍ ଲୁଟ୍ ଉଦ୍ୟମ ଘଟଣାରେ ପୁଲିସ ଜଣେ ଆନ୍ତଃରାଜ୍ୟ ଅପରାଧୀଙ୍କୁ ଗିରଫ କରିଛି। ଅଭିଯୁକ୍ତ ହେଲେ ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଜିଲ୍ଲା ମହୁଲଡିହା ଗ୍ରାମର ଶୁଭମ ମାହାତୋ (୨୨)। ତାଙ୍କ ନିକଟରୁ ନଗଦ ୮,୩୦୦ ଟଙ୍କା, ଏକ ଲୁହା ରଡ୍ ଓ ଦୁଇଟି ମୋବାଇଲ୍ ଫୋନ୍ ଜବତ କରାଯାଇଛି। ଗିରଫ ପରେ ଶନିବାର ତାଙ୍କୁ କୋର୍ଟ ଚାଲାଣ କରାଯାଇଛି।
ପୁଲିସ ସୂଚନା ଅନୁଯାୟୀ, ଗତ ୩୦ ତାରିଖ ବିଳମ୍ବିତ ରାତିରେ ଜରେଇକେଲା ସ୍ଥିତ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଏଟିଏମ୍ ଭାଙ୍ଗି ଟଙ୍କା ଲୁଟିବାକୁ ଉଦ୍ୟମ କରାଯାଇଥିଲା। ପରଦିନ ଏଟିଏମ୍ ଦାୟିତ୍ୱରେ ଥିବା କର୍ମଚାରୀ ଭାସ୍କର ଘାସି ଓ ତାଙ୍କ ସହକର୍ମୀ ଘଟଣାସ୍ଥଳରେ ପହଞ୍ଚି ଏଟିଏମ୍ କ୍ଷତିଗ୍ରସ୍ତ ହୋଇଥିବା ଦେଖିଥିଲେ। ଏହା ସହ ଛାତ, କବାଟ ଓ ବିଦ୍ୟୁତ ବୋର୍ଡ ମଧ୍ୟ ଭଙ୍ଗାଯାଇଥିବା ଜଣାପଡ଼ିଥିଲା।
ଯାଞ୍ଚ ବେଳେ ଜଣାପଡ଼ିଥିଲା ଯେ, ଏଟିଏମ୍ ଭିତରେ ୨୧ ଲକ୍ଷ ୪୪ ହଜାର ୮୦୦ ଟଙ୍କା ସୁରକ୍ଷିତ ରହିଥିଲା। ଘଟଣାକୁ ନେଇ ବିଶ୍ରା ଥାନାରେ ଅଭିଯୋଗ ହେବା ପରେ ପୁଲିସ ସିସିଟିଭି ଫୁଟେଜ୍ ଯାଞ୍ଚ କରିବା ସହ ଗୁପ୍ତ ସୂଚନା ଆଧାରରେ ତଦନ୍ତ ଆରମ୍ଭ କରିଥିଲା।
ବିଶ୍ରା ଥାନାଧିକାରୀଙ୍କ ନେତୃତ୍ୱରେ ଗଠିତ ଏକ ସ୍ୱତନ୍ତ୍ର ଦଳ ପଡ଼ୋଶୀ ଝାଡ଼ଖଣ୍ଡର ମନୋହରପୁର ଅଞ୍ଚଳରେ ଚଢ଼ାଉ କରି ଅଭିଯୁକ୍ତକୁ ଗିରଫ କରିଥିଲା। ପଚରାଉଚରା ସମୟରେ ଶୁଭମ ସ୍ୱୀକାର କରିଥିଲେ ଯେ, ଏଟିଏମ୍ରୁ ଟଙ୍କା ଲୁଟିବାରେ ବିଫଳ ହେବା ପରେ ସେ ନିକଟସ୍ଥ ଏକ ଷ୍ଟେସନେରୀ ଦୋକାନରୁ ନଗଦ ଟଙ୍କା ଚୋରି କରି ଫେରାର ହୋଇଯାଇଥିଲେ।
ପୁଲିସ ତାଙ୍କ ନିକଟରୁ ଚୋରି ଟଙ୍କା ସହ ଏଟିଏମ୍ ଭାଙ୍ଗିବାରେ ବ୍ୟବହୃତ ଲୁହା ରଡ୍ ଜବତ କରିଛି। ତଦନ୍ତରୁ ଜଣାପଡ଼ିଛି ଯେ, ଶୁଭମଙ୍କ ବିରୋଧରେ ବିଶ୍ରା ଥାନାରେ ଦୁଇଟି ମାମଲା ରହିଥିବା ବେଳେ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ବିଭିନ୍ନ ଥାନାରେ ଆଉ ୬ରୁ ଅଧିକ ଅପରାଧିକ ମାମଲା ରହିଥିବା ପୁଲିସ ସୂଚନା ଦେଇଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି।




