ଭୁବନେଶ୍ୱର: ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଭୂ-ସମ୍ପତ୍ତିର ସୁରକ୍ଷା, ସଠିକ୍ ରେକର୍ଡ ସଂରକ୍ଷଣ ଓ ଜମି ପରିଚାଳନାକୁ ଅଧିକ ସୁଦୃଢ଼ କରିବା ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି। ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଅରବିନ୍ଦ ପାଢ଼ୀ ସମସ୍ତ ରେଭେନ୍ୟୁ ଡିଭିଜନାଲ୍ କମିଶନର (ଆର୍‌ଡିସି), ଜିଲ୍ଲାପାଳ, ବୋର୍ଡ ଅଫ୍ ରେଭେନ୍ୟୁ ଏବଂ ଭୂ-ଅଭିଲେଖ ଓ ସର୍ଭେ ନିର୍ଦ୍ଦେଶକ (ଡିଏଲ୍‌ଆର୍‌ଏସ୍‌)ଙ୍କୁ ଚିଠି ଲେଖି ମହାପ୍ରଭୁଙ୍କ ଭୂ-ସମ୍ପତ୍ତି ସମ୍ପର୍କିତ ମାମଲାଗୁଡ଼ିକର ଶୀଘ୍ର ଫଇସଲା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ନିର୍ଦ୍ଦେଶ ଅନୁଯାୟୀ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, ବାଲେଶ୍ୱର, ଭଦ୍ରକ, ଯାଜପୁର, ଗଞ୍ଜାମ, କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ତହସିଲରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (ଏସ୍‌ଜେଟିଏ) ପକ୍ଷରୁ ଦାଖଲ ହୋଇଥିବା ୧୧,୬୭୫ଟି ବିବିଧ ରାଜସ୍ୱ ମାମଲାର ତ୍ୱରିତ ସମାଧାନ କରିବାକୁ କୁହାଯାଇଛି। ସେହିପରି ଓଡ଼ିଶା ଇଷ୍ଟେଟ୍ସ ଆବୋଲିସନ୍ ଆଇନର ଧାରା ୭(ଏ) ଅନୁଯାୟୀ ଦାଖଲ ୨୫୭ଟି ମାମଲାରେ ବୋର୍ଡ ଅଫ୍ ରେଭେନ୍ୟୁଙ୍କ ଆଦେଶକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

ପୁରୁଣା ରେକର୍ଡ ଯାଞ୍ଚ କରି ସଠିକ୍ ରେକର୍ଡ ପ୍ରସ୍ତୁତି ଉପରେ ଗୁରୁତ୍ୱ

ରାଜସ୍ୱ ବିଭାଗ କହିଛି, ଆବଶ୍ୟକ ହେଲେ ୧୮୮୮–୮୯, ୧୯୨୫–୨୬, ୧୯୨୭–୨୮, ୧୯୨୯–୩୦ ଓ ୧୯୭୭–୭୮ ମସିହାର ରେକର୍ଡ ଅଫ୍ ରାଇଟ୍ସ ଏବଂ ଅନ୍ୟାନ୍ୟ ପୁରାତନ ରାଜସ୍ୱ ଅଭିଲେଖ ଯାଞ୍ଚ କରାଯିବ। ଏହା ଆଧାରରେ ଆବଶ୍ୟକ ହେଲେ ଖେୱଟ ସଂଶୋଧନ କରାଯିବ ଏବଂ ଆଇନ ଅନୁଯାୟୀ ମହାପ୍ରଭୁଙ୍କ ସମ୍ପତ୍ତିର ସଠିକ୍ ରେକର୍ଡ ପ୍ରସ୍ତୁତ କରାଯିବ।

ଏହାଛଡ଼ା ପୂର୍ବ ସାବିକ ଓ ସାବିକ ରେକର୍ଡ ଅଫ୍ ରାଇଟ୍ସ ସହ ସାବିକ-ହାଲ୍ ସମନ୍ୱୟ ରିପୋର୍ଟର ପ୍ରାମାଣିକ ନକଲ ଯଥାଶୀଘ୍ର ଏସ୍‌ଜେଟିଏକୁ ଉପଲବ୍ଧ କରାଇବାକୁ ମଧ୍ୟ କୁହାଯାଇଛି, ଯାହାଦ୍ୱାରା ବୋର୍ଡ ଅଫ୍ ରେଭେନ୍ୟୁରେ ଚାଲିଥିବା ମାମଲାଗୁଡ଼ିକର ପ୍ରଭାବଶାଳୀ ପରିଚାଳନା ସମ୍ଭବ ହେବ।

ବେଆଇନ ଦଖଲ ରୋକିବାକୁ କ୍ଷେତ୍ରସ୍ତରରେ କଡ଼ା ନଜର

ମହାପ୍ରଭୁଙ୍କ ଜମିର ଚିହ୍ନଟ, ଯାଞ୍ଚ ଓ ସୁରକ୍ଷା ପାଇଁ ରାଜସ୍ୱ ନିରୀକ୍ଷକ, ଅମିନ ଏବଂ ଅନ୍ୟାନ୍ୟ ଅଭିଜ୍ଞ କ୍ଷେତ୍ରସ୍ତରୀୟ କର୍ମଚାରୀଙ୍କୁ ନିୟୋଜିତ କରିବାକୁ କୁହାଯାଇଛି। ନିୟମିତ କ୍ଷେତ୍ର ପରିଦର୍ଶନ ମାଧ୍ୟମରେ ବେଆଇନ ଦଖଲ, ଜାଲିଆତି ଦାବି ଓ ବ୍ୟକ୍ତିଗତ ସ୍ୱାର୍ଥରେ ଜମି ଦଖଲ ଉଦ୍ୟମ ଉପରେ କଡ଼ା ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏହି ପ୍ରସଙ୍ଗକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଜିଲ୍ଲା, ଉପଖଣ୍ଡ ଓ ତହସିଲସ୍ତରୀୟ ମାସିକ ରାଜସ୍ୱ ବୈଠକରେ ନିୟମିତ ସମୀକ୍ଷା କରିବା ସହ ପ୍ରତିମାସ ଅଗ୍ରଗତି ରିପୋର୍ଟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗକୁ ପଠାଇବାକୁ କୁହାଯାଇଛି। ସେହିସହିତ ଅନାବଶ୍ୟକ ମକଦ୍ଦମା ହ୍ରାସ ପାଇଁ ମଧ୍ୟ ଆବଶ୍ୟକ ପଦକ୍ଷେପ ନେବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି।