ଯାଜପୁର: ଯାଜପୁର ଜିଲ୍ଲା ବ୍ୟାସନଗର ସହରରେ ଦୀର୍ଘ ଦିନ ଧରି ଚାଲିଥିବା ଏକ ଦେହ ବ୍ୟବସାୟ ରାକେଟ୍‌ ଉପରେ ଚଢ଼ଉ କରିଛି ପୋଲିସ। ସୋମବାର ଏକ ଆବାସିକ ଘରେ ଯୋଜନାବଦ୍ଧ ଭାବେ ଚଢ଼ଉ କରାଯାଇ ଘଟଣାସ୍ଥଳରୁ ଦୁଇ ଜଣ ମହିଳାଙ୍କ ସମେତ ମୋଟ ୫ ଜଣଙ୍କୁ ଅଟକ ରଖାଯାଇଛି।

ସୂଚନା ଅନୁଯାୟୀ, ବ୍ୟାସନଗର ସହରର ମୁଖ୍ୟ ଡାକଘର ନିକଟ ଶବର ସାହି ଛକରେ ଥିବା ଏକ ଘରେ ଅନୈତିକ କାର୍ଯ୍ୟକଳାପ ଚାଲିଥିବା ନେଇ ପୋଲିସକୁ ଗୁପ୍ତ ସୂଚନା ମିଳିଥିଲା। ଖବରର ସତ୍ୟତା ଯାଞ୍ଚ କରିବା ପାଇଁ ପୋଲିସର ଦୁଇ ଜଣ କର୍ମଚାରୀ ପ୍ରଥମେ ଗ୍ରାହକ ସାଜି ଉକ୍ତ ଘର ଭିତରକୁ ପ୍ରବେଶ କରିଥିଲେ। ଘଟଣାର ସତ୍ୟତା ପ୍ରମାଣିତ ହେବା ପରେ ପୋଲିସ ଟିମ୍ ହଠାତ୍ ଚଢ଼ଉ କରିଥିଲା।

ଚଢ଼ଉ ସମୟରେ ପୋଲିସ ୨ ଜଣ ମହିଳା ଏବଂ ୩ ଜଣ ପୁରୁଷ ଗ୍ରାହକଙ୍କୁ ଅଟକ ରଖିଛି। ଅଟକ ମହିଳାଙ୍କ ମଧ୍ୟରୁ ଜଣେ ଏହି ସେକ୍ସ ରାକେଟ୍‌ର ମୁଖ୍ୟ କାର୍ପଟଦାର (ମାଷ୍ଟରମାଇଣ୍ଡ) ବୋଲି ସନ୍ଦେହ କରାଯାଉଛି। ଏହାସହିତ ଘଟଣାସ୍ଥଳରୁ କିଛି ଆପତ୍ତିଜନକ ସାମଗ୍ରୀ ମଧ୍ୟ ଜବତ କରାଯାଇଛି।

ତେବେ ପୋଲିସ ଚଢ଼ଉ ସମୟରେ ୩ ଜଣ ଯୁବକ ଘଟଣାସ୍ଥଳରୁ ଫରାର ହୋଇଯିବାରେ ସଫଳ ହୋଇଛନ୍ତି। ଏହି ବେଆଇନ କାରବାର ସହ ଆଉ କାହାର ସଂପୃକ୍ତି ରହିଛି ଏବଂ ଏହାର ଚେର କେତେ ଦୂର ଲମ୍ବିଛି, ତାହାର ପୂର୍ଣ୍ଣାଙ୍ଗ ତଦନ୍ତ ପାଇଁ ପୋଲିସ ଖୋଳତାଡ଼ ଆରମ୍ଭ କରିଛି।