ବିଶ୍ରା: ଝାଡ଼ଖଣ୍ଡର ଲାତେହାର ଜିଲ୍ଲାର ଚନ୍ଦୱା ପୁଲିସ ଏକ ବଡ଼ ସଫଳତା ହାସଲ କରି କୁଖ୍ୟାତ ମାଓବାଦୀ ସଦସ୍ୟ ମୁକେଶ ଗଞ୍ଜୁଙ୍କୁ ଗିରଫ କରିଛି। ସେ ମାଓବାଦୀ କମାଣ୍ଡର ରବୀନ୍ଦ୍ର ଗଞ୍ଜୁ ଗୋଷ୍ଠୀର ସକ୍ରିୟ ସଦସ୍ୟ ଭାବେ କାର୍ଯ୍ୟ କରୁଥିବା ପୁଲିସ ଦାବି କରିଛି। ଗିରଫ ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି।
ପୁଲିସ ସୂଚନା ଅନୁଯାୟୀ, ୨୦୨୩ ମସିହାରେ ଜମୁଆରୀ ଗାଁର ବାସିନ୍ଦା ଏବଂ ବନ ସୁରକ୍ଷା ସମିତି ସଦସ୍ୟ ପ୍ରଦ୍ୟୁମ୍ନ ଯାଦବଙ୍କୁ ପୁଲିସ ସୂଚନାଦାତା ସନ୍ଦେହରେ ହତ୍ୟା କରାଯାଇଥିଲା। ଏହି ଘଟଣାରେ ମୁକେଶ ଗଞ୍ଜୁ ଓ ତାଙ୍କ ସହଯୋଗୀ ରାଜନ ମହନ୍ତ ଅସୁର ଜଡ଼ିତ ଥିବା ତଦନ୍ତରେ ସାମ୍ନାକୁ ଆସିଥିବା ଦାବି କରାଯାଇଛି।
ମୁକେଶ ଗଞ୍ଜୁଙ୍କ ବିରୋଧରେ ଲାତେହାର, ଲୋହାରଦାଗା ଏବଂ ଗୁମଲା ସମେତ ବିଭିନ୍ନ ଜିଲ୍ଲାରେ ହତ୍ୟା, ଦାଦାବଟି ଆଦାୟ, ଧମକ, ଅଗ୍ନିକାଣ୍ଡ ଓ ଅନ୍ୟାନ୍ୟ ଅପରାଧ ସମ୍ପର୍କିତ ୯ରୁ ଅଧିକ ମାମଲା ରହିଥିବା ପୁଲିସ କହିଛି।
ତଦନ୍ତରୁ ଆହୁରି ଜଣାପଡ଼ିଛି ଯେ, ୨୦୨୨ ମସିହାରେ ଚନ୍ଦୱା ଥାନା ଅଞ୍ଚଳର କଠପୁଲିଆ ନିକଟରେ ଗାଡ଼ିକୁ ନିଆଁ ଲଗାଇବା ଏବଂ ୨୦୨୩ରେ ଲପରା ରେଳ ସେତୁ ନିର୍ମାଣ କାର୍ଯ୍ୟ ସମୟରେ ଘଟିଥିବା ଅଗ୍ନିକାଣ୍ଡରେ ମଧ୍ୟ ସେ ସଂପୃକ୍ତ ଥିଲେ।
ଦୀର୍ଘ ଦିନ ଧରି ଫେରାର ଥିବା ମୁକେଶ ଗଞ୍ଜୁ ନିଜ ଗାଁ ବଜରମରୀରେ ଲୁଚି ରହିଥିବା ନେଇ ପୁଲିସ ଗୁଇନ୍ଦା ସୂଚନା ପାଇଥିଲା। ପରେ ସ୍ୱତନ୍ତ୍ର ଅଭିଯାନ ଚଳାଇ ତାଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି।




