କେନ୍ଦୁଝର: ସମଗ୍ର ରାଜ୍ୟ ଓ ଦେଶରେ ଆଲୋଡ଼ନ ସୃଷ୍ଟି କରିଥିବା ଜିତୁ ମୁଣ୍ଡାଙ୍କ କଙ୍କାଳ ବୋହିବା ଘଟଣାର ଅନୁସନ୍ଧାନ ପାଇଁ ଜିଲ୍ଲା ପ୍ରଶାସନ ଓ ବିଜେଡି ପ୍ରତିନିଧି ଦଳ ଆଜି ପାଟଣା ବ୍ଲକ୍ର ଡିଆନାଳୀ ଗ୍ରାମରେ ତାଙ୍କ ଘରେ ପହଞ୍ଚିଛନ୍ତି।
କେନ୍ଦୁଝର ଉପଜିଲ୍ଲାପାଳ ଉମାଶଙ୍କର ଦଳେଇ, ପାଟଣା ବିଡିଓ ମାନସ କୁମାର ଦଣ୍ଡପାଟ ଓ ତହସିଲଦାର ଅଶ୍ୱିନୀ କୁମାର ନାୟକ ସହ ଅନ୍ୟାନ୍ୟ ଅଧିକାରୀମାନେ ଜିତୁଙ୍କ ପରିବାର ସହ ଆଲୋଚନା କରିଥିଲେ। ସେମାନେ ପରିବାରର ଆର୍ଥିକ ସ୍ଥିତି, ଜୀବିକା ଓ ଆବଶ୍ୟକତା ସମ୍ପର୍କରେ ତଥ୍ୟ ସଂଗ୍ରହ କରିଥିଲେ। ପରିବାର ପାଇଁ ସରକାରୀ ସହାୟତା ବ୍ୟବସ୍ଥା କରିବାକୁ ପ୍ରଶାସନ ପକ୍ଷରୁ ଆଲୋଚନା ଚାଲିଥିବା ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି।
ଏପଟେ ବିଜେଡି ପ୍ରତିନିଧି ଦଳ ମଧ୍ୟ ଜିତୁ ମୁଣ୍ଡାଙ୍କ ସହିତ ଆଲୋଚନା କରି ଘଟଣାର ବିବରଣୀ ନେଇଛନ୍ତି। ଘଟଣାଟି ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ବ୍ୟାଙ୍କ ଓ ପ୍ରଶାସନ ତରଫରୁ ଜିତୁଙ୍କ ଟଙ୍କା ପ୍ରଦାନ କରାଯାଇଥିବା କୁହାଯାଇଛି। ତେବେ ପ୍ରଥମେ ସେ ବାରମ୍ବାର ବ୍ୟାଙ୍କକୁ ଯାଇଥିବା ସତ୍ତ୍ୱେ କାହିଁକି ତ୍ୱରିତ ସହାୟତା ମିଳିଲା ନାହିଁ, ସେନେଇ ପ୍ରଶ୍ନ ଉଠାଇଛି ବିଜେଡି।
ଏହି ଘଟଣାକୁ ଲଜ୍ଜାଜନକ ଓ ଅଭାବନୀୟ ବୋଲି ମତ ପ୍ରକାଶ କରି ବିଜେଡି ନେତାମାନେ ବ୍ୟାଙ୍କ କର୍ମଚାରୀ ଓ ସମ୍ପୃକ୍ତ ପ୍ରଶାସନ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଆଗାମୀ ଦିନରେ ଏପରି ଘଟଣା ନ ଘଟିବା ପାଇଁ ସଚେତନତା ଓ ଦାୟିତ୍ୱବୋଧ ବୃଦ୍ଧି ପାଇଁ ମଧ୍ୟ ଜୋର ଦିଆଯାଇଛି।
ବିଜେଡି ପ୍ରତିନିଧି ଦଳରେ ଘଷିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର, ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ, ପୂର୍ବତନ ବିଧାୟକ ଜଗନ୍ନାଥ ନାଏକ ସମେତ ଅନ୍ୟ ନେତାମାନେ ସାମିଲ ଥିଲେ।




