କେନ୍ଦୁଝର:

କେନ୍ଦୁଝର ଜିଲ୍ଲାରେ ଘଟିଥିବା ହୃଦୟବିଦାରକ “କଙ୍କାଳ ଘଟଣା” ପରେ ପ୍ରଶାସନ ଏବେ ସଚେତନ ହୋଇଛି। ପାଟଣା ବ୍ଲକର ଜିତୁ ମୁଣ୍ଡାଙ୍କ ଅବସ୍ଥା ଦେଶଜୁଡ଼ା ଚର୍ଚ୍ଚା ସୃଷ୍ଟି କରିଥିବାବେଳେ, ଶେଷରେ ସରକାର ତାଙ୍କ ପାଇଁ ମୁଣ୍ଡ ନୁଆଁଇଥିବା ଦେଖିବାକୁ ମିଳିଛି।

ଅତ୍ୟନ୍ତ ଦୁର୍ଦ୍ଦଶାରେ ଜୀବନ ଯାପନ କରୁଥିବା ଜିତୁ ମୁଣ୍ଡାଙ୍କୁ ପୂର୍ବରୁ କୌଣସି ସରକାରୀ ଯୋଜନାରେ ସାମିଲ କରାଯାଇନଥିବା ଘଟଣା ପ୍ରକାଶ ପାଇବା ପରେ ଜିଲ୍ଲା ପ୍ରଶାସନ ଚାପରେ ପଡ଼ିଥିଲା। ତଦନ୍ତ ପରେ ପ୍ରଶାସନ ପକ୍ଷରୁ ତାଙ୍କୁ ବାର୍ଦ୍ଧକ୍ୟ ଭତ୍ତା ଯୋଜନାରେ ସାମିଲ କରାଯାଇଛି। ସେଥିସହିତ ଘରକୁ ବିଦ୍ୟୁତ୍ ସଂଯୋଗ ଓ ଅନ୍ତ୍ୟୋଦୟ ଯୋଜନାର ଲାଭ ମଧ୍ୟ ଦିଆଯାଇଛି।

ଏହା ସହ ଅନ୍ୟାନ୍ୟ ସହାୟତା ମଧ୍ୟ ଜିତୁଙ୍କୁ ମିଳିଛି। ଏକ ସଂସ୍ଥା ପକ୍ଷରୁ ୧୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଦିଆଯାଇଥିବାବେଳେ, ରେଡ୍‌ କ୍ରସ୍‌ ତରଫରୁ ୩୦ ହଜାର ଟଙ୍କା ପ୍ରଦାନ କରାଯାଇଛି। ବ୍ୟାଙ୍କରେ ଜମା ଥିବା ପ୍ରାୟ ୧୯,୪୦୨ ଟଙ୍କା ମଧ୍ୟ ପ୍ରଶାସନ ହସ୍ତକ୍ଷେପରେ ଜିତୁଙ୍କୁ ମିଳିଛି।

ଉଲ୍ଲେଖନୀୟ ଯେ, ଦୁଇ ମାସ ପୂର୍ବରୁ ଜିତୁଙ୍କ ଭଉଣୀ କଲରା ମୁଣ୍ଡାଙ୍କ ମୃତ୍ୟୁ ପରେ ତାଙ୍କ ନାମରେ ଥିବା ରାସନ କାର୍ଡ ବନ୍ଦ ହୋଇଯାଇଥିଲା। ଏହା ଜିତୁଙ୍କ ଦୁର୍ଦ୍ଦଶାକୁ ଆହୁରି ବଢ଼ାଇଥିଲା।

ଏମିତି ଥିଲା ଘଟଣା

ପାଟଣା ବ୍ଲକର ମଲ୍ଲୀପସିସ୍ଥିତ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ସମ୍ମୁଖରେ ଏହି ଅଭାବନୀୟ ଘଟଣା ଘଟିଥିଲା। ଭଉଣୀଙ୍କ ନାମରେ ଥିବା ଜମା ଟଙ୍କା ଉଠାଇବା ପାଇଁ ଜିତୁ ବ୍ୟାଙ୍କକୁ ଯାଇଥିଲେ। କିନ୍ତୁ ବ୍ୟାଙ୍କ ପକ୍ଷରୁ ଉତ୍ତରାଧିକାରୀ ସନଦ ଆଣିବାକୁ କୁହାଯାଇଥିଲା।

ଏଥିରେ ବିବ୍ରତ ହୋଇ ଜିତୁ ଗାଁର ଶ୍ମଶାନକୁ ଯାଇ ଭଉଣୀଙ୍କ ଅବଶେଷ ବାହାର କରି, ପ୍ରାୟ ୩ କିଲୋମିଟର ଧରି କାନ୍ଧରେ ବୋହି ବ୍ୟାଙ୍କକୁ ଆଣିଥିଲେ। ସେଠାରେ କଙ୍କାଳ ରଖି ଟଙ୍କା ଦେବାକୁ ଦାବି କରିଥିଲେ।

ଏହି ଦୃଶ୍ୟ ସମଗ୍ର ରାଜ୍ୟ ସହିତ ଦେଶକୁ ମନୋମାତ୍ରାରେ ଅସ୍ଥିର କରିଦେଇଥିଲା। ବ୍ୟାଙ୍କ କର୍ମଚାରୀଙ୍କ ଅସମ୍ବେଦନଶୀଳ ଆଚରଣକୁ ନେଇ ଭିନ୍ନମତ ଓ ଆକ୍ରୋଶ ଦେଖାଯାଇଥିଲା।