ରାୟଗଡ଼ା: କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଆଜି (ମେ ୧) ଓଡ଼ିଶା ଗସ୍ତରେ ଆସି ୧,୬୯୮ କୋଟି ଟଙ୍କାର ଗ୍ରାମୀଣ ସଡ଼କ ପ୍ରକଳ୍ପର ଶୁଭାରମ୍ଭ କରିବାକୁ ଯାଉଛନ୍ତି।
ରାୟଗଡ଼ା ଜିଲ୍ଲାର ଆଇଏସିଆର (IACR) ପଡ଼ିଆରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା-IV (PMGSY-IV),ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।
ଏହି ଅନୁଦାନ ଜରିଆରେ ୧,୭୦୧.୮୪ କିଲୋମିଟର ଦୈର୍ଘ୍ୟର ମୋଟ ୮୨୭ଟି ଗ୍ରାମୀଣ ସଡ଼କ ପ୍ରକଳ୍ପ ନିର୍ମାଣ କରାଯିବ।ଏହାଦ୍ୱାରା ରାଜ୍ୟର ପ୍ରାୟ ୮୯୮ଟି ଦୁର୍ଗମ ଗ୍ରାମ ବା ବସତିକୁ ସବୁଦିନିଆ ପକ୍କା ରାସ୍ତା ମିଳିପାରିବ।ଏହି ପ୍ରକଳ୍ପ ଦ୍ୱାରା ବିଶେଷ କରି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଶିକ୍ଷା, ସ୍ୱାସ୍ଥ୍ୟସେବା ଏବଂ ବଜାରକୁ ଯାତାୟାତ ସହଜ ହେବ।
ଓଡ଼ିଶା ପୂର୍ବରୁ PMGSY କାର୍ଯ୍ୟକାରିତା କ୍ଷେତ୍ରରେ ଜାତୀୟ ସ୍ତରରେ ୮ମ ସ୍ଥାନରେ ରହିଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୭୪,୭୨୫ କିଲୋମିଟର ଦୈର୍ଘ୍ୟର ୧୭,୯୬୩ଟି ରାସ୍ତା ମଞ୍ଜୁର ହୋଇଥିବାବେଳେ, ସେଥିମଧ୍ୟରୁ ୧୭,୭୬୦ଟି ରାସ୍ତା କାର୍ଯ୍ୟ ଶେଷ ହୋଇଛି।
PMGSY-IV ଅଧୀନରେ ୨୦୨୮-୨୯ ସୁଦ୍ଧା ସାରା ଦେଶରେ ବାକି ରହିଥିବା ପ୍ରାୟ ୨୫,୦୦୦ ଗ୍ରାମକୁ ସବୁଦିନିଆ ରାସ୍ତାରେ ଯୋଡ଼ିବା ପାଇଁ କେନ୍ଦ୍ର ସରକାର ₹୭୦,୧୨୫ କୋଟିର ବ୍ୟୟବରାଦ କରିଛନ୍ତି।




