କେସିଙ୍ଗା: କଳାହାଣ୍ଡି ଜିଲ୍ଲା କେସିଙ୍ଗା ପଞ୍ଚାୟତ ସମିତିର ୧୧ତମ ସାଧାରଣ ବୈଠକ ଅଧ୍ୟକ୍ଷ ଚନ୍ଦନ କୁମାର ସେନାପତିଙ୍କ ସଭାପତିତ୍ୱରେ ବ୍ଲକ୍ କାର୍ଯ୍ୟାଳୟ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବ୍ଲକ୍ରେ ପାନୀୟଜଳ, ବିଦ୍ୟୁତ୍ ସଂଯୋଗ, ନଳକୂପ ମରାମତି ଏବଂ ହାତୀ ପ୍ରବଣ ଅଞ୍ଚଳରେ ଭୂତଳ କେବୁଲିଂ ମାଧ୍ୟମରେ ବିଦ୍ୟୁତ୍ ସଂଯୋଗ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ଏହା ସହିତ ଆଗାମୀ ଦିନରେ ବ୍ଲକ୍ର ବିକାଶ ପାଇଁ ବିଭିନ୍ନ ବିଭାଗୀୟ ଉନ୍ନୟନମୂଳକ ଯୋଜନାର ପ୍ରସ୍ତାବ ଖସଡ଼ା ପ୍ରସ୍ତୁତ କରିବାକୁ ସେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ତେବେ ଗୁରୁତ୍ୱପୂର୍ଣ୍ଣ ବୈଠକରେ କେତେକ ବିଭାଗର ଉଚ୍ଚ ପଦାଧିକାରୀ ଅନୁପସ୍ଥିତ ଥିବାରୁ ବୈଠକରେ ଅସନ୍ତୋଷ ପ୍ରକାଶ ପାଇଥିଲା।
ଅସନ୍ତୋଷ ଓ ଦାବି:
- ବିଦ୍ୟୁତ୍ ବିଭାଗର ଅବହେଳା: କସୃପଡ଼ା ପଞ୍ଚାୟତର ରେଙ୍ଗାଲି ଗ୍ରାମରେ ୨୦୨୪ ମସିହାରୁ ୩୬ ହଜାର ଟଙ୍କା ଜମା ହୋଇଥିଲେ ସୁଦ୍ଧା ଦୁଇ ବର୍ଷ ଧରି ବିଦ୍ୟୁତ୍ ସଂଯୋଗ ହୋଇନଥିବା ଅଭିଯୋଗ ହୋଇଥିଲା। ସେହିପରି ଉତ୍କେଲା ଗ୍ରାମରେ ୬୦ ହଜାର ଟଙ୍କା ଜମା ହେବାର ୫ ମାସ ପରେ ବି ବିଦ୍ୟୁତ୍ ସଂଯୋଗ ମିଳିନଥିବାରୁ ବିଦ୍ୟୁତ୍ ବିଭାଗୀୟ SDO ୭ ଦିନ ମଧ୍ୟରେ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ବାଲସି ପଞ୍ଚାୟତରେ ଖୁମ୍ବ ଓ କେବୁଲ୍ ପଡ଼ି ଦୁଇ ବର୍ଷ ବିତିଗଲେ ବି ବିଦ୍ୟୁତ୍ ସଂଯୋଗ ନହେବାରୁ କ୍ଷୋଭ ପ୍ରକାଶ ପାଇଛି।
- ଶିକ୍ଷକ ଅଭାବ: ବ୍ଲକ୍ର ପ୍ରତ୍ୟେକ ବିଦ୍ୟାଳୟରେ ଶିକ୍ଷକ ଅଭାବ ରହିଥିବା ନେଇ ଦାବି ଉତ୍ଥାପନ କରାଯାଇଥିଲା।
- ଗୋଚର ଜମି ଉଚ୍ଛେଦ: କେସିଙ୍ଗା ବ୍ଲକ୍ର ୨୬ଟି ଗ୍ରାମ ପଞ୍ଚାୟତରେ ଗୋଚର ଜମିକୁ ଜବରଦଖଲ ମୁକ୍ତ କରିବା ପାଇଁ ବ୍ଲକ୍ ଅଧ୍ୟକ୍ଷ ଚନ୍ଦନ କୁମାର ସେନାପତି ଦାବି କରିଥିଲେ।
ଏହି ବୈଠକରେ କେସିଙ୍ଗା BDO ଜନ୍ମେଜୟ ସ୍ୱାଇଁ, ABDO ସିଦ୍ଧେଶ୍ୱର ମେହେର, ସହକାରୀ ଯନ୍ତ୍ରୀ ଆନନ୍ଦ ମଣ୍ଡଳ, ସମସ୍ତ କନିଷ୍ଠ ଯନ୍ତ୍ରୀ, ସରପଞ୍ଚ, ସମିତି ସଭ୍ୟସଭ୍ୟା ଯୋଗଦେଇ ନିଜ ନିଜ ଅଞ୍ଚଳର ସମସ୍ୟା ଉପରେ ଦାବି ରଖିଥିଲେ।




