ଗଜପତି : ଗଜପତି ଜିଲ୍ଲା ମୋହନା ବ୍ଲକ ଓ ଏହାର ଆଖପାଖ ଅଞ୍ଚଳରେ ଶନିବାର ସନ୍ଧ୍ୟାରେ କାଳବୈଶାଖୀ ବ୍ୟାପକ ତାଣ୍ଡବ ରଚିଛି। ପ୍ରବଳ ପବନ ସହ ଘଡ଼ଘଡ଼ି ଏବଂ ବର୍ଷା ଯୋଗୁଁ ସମଗ୍ର ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏହି ପ୍ରାକୃତିକ ବିପର୍ଯ୍ୟୟରେ ଜଣେ ଯୁବକଙ୍କର ବଜ୍ରାଘାତରେ ମୃତ୍ୟୁ ହୋଇଥିବା ବେଳେ ବ୍ୟାପକ କ୍ଷୟକ୍ଷତି ଘଟିଛି।
ସୂଚନା ଅନୁଯାୟୀ, ମୋହନା ଥାନା ବାଘମାରୀ ପଞ୍ଚାୟତ ସୁଲୁବା ଗ୍ରାମରେ ଏକ ହୃଦୟବିଦାରକ ଘଟଣା ଘଟିଛି। ଶନିବାର ସନ୍ଧ୍ୟାରେ ଗ୍ରାମର କିଛି ଯୁବକ ପଡ଼ିଆରେ କ୍ରିକେଟ୍ ଖେଳୁଥିବା ସମୟରେ ହଠାତ୍ କାଳବୈଶାଖୀ ଜନିତ ପ୍ରଚଣ୍ଡ ବଜ୍ରପାତ ହୋଇଥିଲା। ବଜ୍ରାଘାତର ଶିକାର ହୋଇ ଜଣେ ଯୁବକଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି (ମୃତ ଯୁବକଙ୍କ ପରିଚୟ ଜୟନ୍ତ ବେରଦଳାଇ ବୋଲି ସୂଚନା ମିଳିଛି)। ଏହି ଦୁଃଖଦ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ଅନ୍ୟପଟେ, ଡେଙ୍ଗେସାଖାଲ ପଞ୍ଚାୟତ ରନ୍ଦାସିଂ ଗ୍ରାମର ବିକ୍ରମ ମଲ୍ଲିକଙ୍କ ୩ଟି ଛେଳି ମଧ୍ୟ ବଜ୍ରାଘାତରେ ପ୍ରାଣ ହରାଇଛନ୍ତି। ଆକାଶରେ ପ୍ରଚଣ୍ଡ ଗର୍ଜନ ଏବଂ ବାରମ୍ବାର ବଜ୍ରପାତ ଯୋଗୁଁ ଗ୍ରାମବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା।
କାଳବୈଶାଖୀ ଜନିତ ବାତ୍ୟା ଯୋଗୁଁ କରାଚବାଡ଼ି ପଞ୍ଚାୟତ ଢେପାନାଜୁ ଗ୍ରାମରେ ବହୁ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଛି। ରାସ୍ତା ଉପରେ ଗଛ ପଡ଼ିବା ହେତୁ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ଏହା ସହିତ ଅଞ୍ଚଳରେ ଅନେକ ବିଦ୍ୟୁତ ଖୁଣ୍ଟ ଭାଙ୍ଗି ଯାଇଥିବାରୁ ଆଖପାଖର କେତେକ ଗ୍ରାମରେ ଅନ୍ଧାର ଜେଜେ ଗ୍ରାସିଛି ଓ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇଛି। ସ୍ଥାନୀୟ ପ୍ରଶାସନ ଓ ବିଦ୍ୟୁତ ବିଭାଗ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ବିଦ୍ୟୁତ ସେବା ସ୍ୱାଭାବିକ କରିବା ପାଇଁ ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି।
ମୋହନା ବ୍ଲକର ବିଭିନ୍ନ ସ୍ଥାନରେ ମଧ୍ୟ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଥିବା ବେଳେ ପ୍ରଶାସନ ପକ୍ଷରୁ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଘଡ଼ଘଡ଼ି କିମ୍ବା ବିଜୁଳି ମାରୁଥିବା ସମୟରେ ଖୋଲା ପଡ଼ିଆ, ଗଛ ମୂଳେ ଆଶ୍ରୟ ନନେଇ ଘର ଭିତରେ ସୁରକ୍ଷିତ ରହିବାକୁ ସ୍ଥାନୀୟ କର୍ତ୍ତୃପକ୍ଷ ନିବେଦନ କରିଛନ୍ତି।




