ଫୁଲବାଣୀ: ସାମୁଦ୍ରିକ ଝଡ଼ ‘ଅର୍ଣ୍ଣବ’ ପ୍ରଭାବରେ କନ୍ଧମାଳ ଜିଲ୍ଲାରେ ଭୟଙ୍କର ଭୂସ୍ଖଳନ ଘଟି ବ୍ୟାପକ ଧନଜୀବନ ହାନି ହୋଇଛି। ପ୍ରବଳ ବର୍ଷା ଯୋଗୁଁ ପାହାଡ଼ ଧସିବାରୁ ଜଣେ ୯ ମାସର ଶିଶୁ ସମେତ ଗୋଟିଏ ପରିବାରର ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୧୩ ଜଣ ନିଖୋଜ ଅଛନ୍ତି। ଏହି ଅଭାବନୀୟ ଘଟଣାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିବା ସହ ତୁରନ୍ତ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି।

କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍‌ ଅନ୍ତର୍ଗତ ଡାଙ୍ଗେସୀ ଗାଁରେ ମାଟି ଅସଡ଼ା ଧସିବା ଫଳରେ ଗୋଟିଏ ଘର ଉପରେ ପାହାଡ଼ ମାଟି ଅଜାଡ଼ି ହୋଇପଡ଼ିଥିଲା। ଏଥିରେ ଅଚ୍ୟୁତ ପ୍ରଧାନ, ତାଙ୍କ ସ୍ତ୍ରୀ ଅନିଷା ପ୍ରଧାନ ଏବଂ ତାଙ୍କର ୯ ମାସର ଶିଶୁପୁତ୍ରଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି।

ଗଞ୍ଜାମ-କନ୍ଧମାଳ ସୀମାନ୍ତ ଗିଡ଼ିପାବଲି ଗାଁରେ ଏକ ପ୍ରଳୟଙ୍କରୀ ଭୂସ୍ଖଳନ ଯୋଗୁଁ ଗାଁଟି ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି। ଏଠାରୁ ୧୧ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ ଏବେ ବି ୧୩ ଜଣ ଲୋକ ନିଖୋଜ ଅଛନ୍ତି।

ଜି. ଉଦୟଗିରି ବ୍ଲକ୍ ଗାଟିଙ୍ଗିଆ ପଞ୍ଚାୟତ ନିକଟବର୍ତ୍ତୀ ଗଞ୍ଜାମ-କନ୍ଧମାଳ ସୀମାନ୍ତରେ ଅତି କମରେ ୬ଟି ସ୍ଥାନରେ ଭୂସ୍ଖଳନ ହୋଇଥିବା ଖବର ମିଳିଛି, ଯାହାଫଳରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।

ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ ରେ ନବୀନ ପଟ୍ଟନାୟକ ଲେଖିଛନ୍ତି ଯେ, କନ୍ଧମାଳ ଜିଲ୍ଲାରେ ବାତ୍ୟା ‘ଅରନବ’ ପ୍ରଭାବରେ ଭୂସ୍ଖଳନ ହୋଇ ଜୀବନହାନି ଓ ଅନେକ ଲୋକ ନିଖୋଜ ହେବା ଖବର ଶୁଣି ସେ ଅତ୍ୟନ୍ତ ଦୁଃଖିତ।

ଅସୁବିଧାରେ ଥିବା ଲୋକଙ୍କୁ ନିରାପଦରେ ଉଦ୍ଧାର କରିବା ଏବଂ ଜନଜୀବନକୁ ସ୍ୱାଭାବିକ କରିବା ପାଇଁ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ସେ ସରକାରଙ୍କୁ ଆହ୍ୱାନ ଦେଇଛନ୍ତି। ଏହାସହ ମୃତକଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି।