ଭୁବନେଶ୍ୱର: ବହୁପ୍ରତୀକ୍ଷିତ ମେଗା ବଜେଟ୍ ଫିଲ୍ମ ‘ରାମାୟଣ’ ପରଦାକୁ ଆସିବା ପରେ ଦର୍ଶକ କେବଳ ରଣବୀର କପୁର ଏବଂ ୟଶଙ୍କ ଅଭିନୟ ଦେଖିବେ ନାହିଁ, ବରଂ ପରଦାରେ ୪୦ ଫୁଟ ଉଚ୍ଚର କୁମ୍ଭକର୍ଣ୍ଣ ଏବଂ ଆକାଶରେ ରାବଣ ସହ ଲଢ଼ୁଥିବା ୩୦ ଫୁଟର ଜଟାୟୁର ଜୀବନ୍ତ ଦୃଶ୍ୟ ପଛରେ ରହିଛି ଓଡ଼ିଶାର ଜଣେ ଯୁବ ଶିଳ୍ପୀଙ୍କ ଅଦୃଶ୍ୟ ଯାଦୁ। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଅନ୍ତର୍ଗତ ବେଲପାଳ ଗ୍ରାମର ଯୁବ ଆନିମେଟର ଭ୍ରମରବର ଦାସ ନିଜ ପ୍ରତିଭା ବଳରେ ଆଜି ନିଜ ଗାଁକୁ ବିଶ୍ୱ ଭିଏଫଏକ୍ସ (VFX) ମାନଚିତ୍ରରେ ସ୍ଥାନ ଦେଇଛନ୍ତି।
ବିଶ୍ୱ ପ୍ରସିଦ୍ଧ ଭିଜୁଆଲ୍ ଇଫେକ୍ଟସ୍ ଏବଂ ଆନିମେସନ୍ କମ୍ପାନୀ ‘ଡିନେଗ୍’ ର ସ୍ୱତନ୍ତ୍ର ଟିମ୍ର ସଦସ୍ୟ ଭାବେ କାର୍ଯ୍ୟ କରୁଥିବା ଭ୍ରମରବର, ନିର୍ଦ୍ଦେଶକ ନିତେଶ ତିୱାରୀଙ୍କ ମହତ୍ତ୍ୱାକାଂକ୍ଷୀ ଫିଲ୍ମ ‘ରାମାୟଣ’ ପାଇଁ ଆନିମେସନ୍ ଏବଂ 3D କ୍ରିଏଚର୍ ଲୁକ୍ ଡେଭଲପମେଣ୍ଟ କାମ କରିଛନ୍ତି। ପ୍ରାୟ ୧୦,୦୦୦ କର୍ମଚାରୀଙ୍କୁ ନେଇ ନିର୍ମିତ ଭାରତର ଏହି ସର୍ବବୃହତ ସିନେମାଟିକ୍ ପ୍ରୋଜେକ୍ଟର ପ୍ରଥମ ଭାଗ ସହ ସେ ଗତ ପାଞ୍ଚ ବର୍ଷ ଧରି ଜଡ଼ିତ ଅଛନ୍ତି। ପାଞ୍ଚ ବର୍ଷର ଅକ୍ଳାନ୍ତ ପରିଶ୍ରମ ପରେ ପ୍ରଥମ ଭାଗର କାମ ଶେଷ ହୋଇଥିବା ବେଳେ, ୨୦୨୮ ଦୀପାବଳିରେ ମୁକ୍ତିଲାଭ କରିବାକୁ ଥିବା ଦ୍ୱିତୀୟ ଭାଗର କାମ ମଧ୍ୟ ଆରମ୍ଭ ହୋଇସାରିଛି।
ଭ୍ରମରବରଙ୍କ କହିବା ଅନୁଯାୟୀ, ମହାକାବ୍ୟର ଅନେକ ଚରିତ୍ରର ବିଶାଳକାୟ ରୂପ ଓ ଗଠନ ଯୋଗୁଁ କେବଳ ମଣିଷ ଅଭିନେତାଙ୍କ ଦ୍ୱାରା ସେଗୁଡ଼ିକୁ ପ୍ରଭାବଶାଳୀ ଭାବେ ପରଦାରେ ଦେଖାଇବା ସମ୍ଭବ ନଥିଲା। ତେଣୁ ୪୦ ଫୁଟ ଉଚ୍ଚର କୁମ୍ଭକର୍ଣ୍ଣ ଏବଂ ୩୦ ଫୁଟ ଉଚ୍ଚତାରେ ରାବଣ ସହ ଯୁଦ୍ଧ କରୁଥିବା ଜଟାୟୁ ଭଳି ଚରିତ୍ରଗୁଡ଼ିକୁ କମ୍ପ୍ୟୁଟର ଜେନେରେଟେଡ୍ ଇମେଜେରୀ (CGI) ଏବଂ ସ୍ୱତନ୍ତ୍ର ଭିଜୁଆଲ୍ ଡେଭଲପମେଣ୍ଟ ମାଧ୍ୟମରେ ଜୀବନ୍ତ କରାଯାଇଛି।
୨୦୧୭ ମସିହାରେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ଆପ୍ଲାଏଡ୍ ଆର୍ଟ ବିଭାଗରୁ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ଭ୍ରମରବର ଏହା ପୂର୍ବରୁ ପାଞ୍ଚଟି ବଡ଼ ଅନ୍ତର୍ଜାତୀୟ ହଲିଉଡ୍ ପ୍ରୋଜେକ୍ଟରେ ମଧ୍ୟ ନିଜ ଦକ୍ଷତା ଦେଖାଇସାରିଛନ୍ତି। ଏଥିମଧ୍ୟରେ ଡିଜ୍ନୀର ଲୋକପ୍ରିୟ ଲାଇଭ୍-ଆକ୍ସନ୍ ଫିଲ୍ମ ‘ଦ ଜଙ୍ଗଲ ବୁକ୍’ ଏବଂ ‘ଦ ଲାୟନ୍ କିଙ୍ଗ୍’ ଭଳି ବିଶ୍ୱସ୍ତରୀୟ ସିନେମା ଅନ୍ତର୍ଭୁକ୍ତ।
ବର୍ତ୍ତମାନ DNEG ର ବେଙ୍ଗାଲୁରୁ ଶାଖାରେ କାର୍ଯ୍ୟରତ ଭ୍ରମରବର କୋଭିଡ୍-୧୯ ମହାମାରୀ ପରଠାରୁ କେନ୍ଦ୍ରାପଡ଼ାସ୍ଥିତ ନିଜ ଘରେ ରହି କାମ କରୁଛନ୍ତି, ଯାହା ପ୍ରମାଣିତ କରିଛି ଯେ ପ୍ରତିଭା ପାଇଁ କୌଣସି ନିର୍ଦ୍ଦିଷ୍ଟ ସହର ବା ପିନ୍ କୋଡ୍ର ଆବଶ୍ୟକତା ନାହିଁ। ତାଙ୍କର ଏହି ଅଭୂତପୂର୍ବ ସଫଳତାରେ ଆଜି ସମଗ୍ର ବେଲପାଳ ଗ୍ରାମ ଓ କେନ୍ଦ୍ରାପଡ଼ା ଜିଲ୍ଲା ଗର୍ବିତ।




