କେନ୍ଦୁଝର: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ଖୁଣ୍ଟାପଡ଼ା ନିକଟରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଦୁର୍ବୃତ୍ତମାନେ ଗୁଳି କରି ଜଣେ ବ୍ୟବସାୟୀଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି। ମୃତ ବ୍ୟକ୍ତି ଜଣକ ହେଉଛନ୍ତି ତୁରୁମୁଙ୍ଗା ଥାନା ଖାଜିରାପଶି ଗ୍ରାମର ତ୍ରିଲୋଚନ ମହାନ୍ତ (୪୨)। ସେ ଜଣେ ମହିଳା କନଷ୍ଟେବଳଙ୍କ ସ୍ୱାମୀ ବୋଲି ଜଣାପଡ଼ିଛି।
ସୂଚନା ଅନୁଯାୟୀ, ତ୍ରିଲୋଚନ କେନ୍ଦେଇପଶି ଛକ ନିକଟରେ ଏକ ଜନ ସେବା କେନ୍ଦ୍ର ଚଲାଉଥିଲେ। ସୋମବାର ରାତି ପ୍ରାୟ ୧୧ଟା ସମୟରେ ସେ ନିଜ ଦୋକାନ ବନ୍ଦ କରି ବାଇକ୍ ଯୋଗେ ପାଟଣା ଆଡ଼କୁ ଘରକୁ ଫେରୁଥିଲେ।
ଖୁଣ୍ଟାପଡ଼ା ନିକଟସ୍ଥ ଏକ ନିର୍ଜନ ସ୍ଥାନରେ ପୂର୍ବରୁ ଛକି ରହିଥିବା ଦୁର୍ବୃତ୍ତମାନେ ହଠାତ୍ ତାଙ୍କ ଉପରକୁ ଗୁଳିଚାଳନା କରିଥିଲେ। ଗୁଳି ବାଜିବା ଫଳରେ ତ୍ରିଲୋଚନ ଗୁରୁତର ଆ his ହତ ହୋଇ ଘଟଣାସ୍ଥଳରେ ହିଁ ରକ୍ତଜୁଡ଼ୁବୁଡ଼ୁ ଅବସ୍ଥାରେ ଟଳିପଡ଼ିଥିଲେ। ଅପରାଧ ଘଟାଇବା ପରେ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।
ଘଟଣା ସମ୍ପର୍କରେ ଖବର ପାଇ ତୁରୁମୁଙ୍ଗା ଏବଂ ପାଟଣା ଥାନା ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲ ପଠାଇଛି।
ଏହି ହତ୍ୟାକାଣ୍ଡ ପୂର୍ବ ଶତ୍ରୁତା ଯୋଗୁଁ ଘଟିଛି ନା ଲୁଟ୍ ଉଦ୍ଦେଶ୍ୟରେ କରାଯାଇଛି, ସେ ନେଇ ପୁଲିସ ଭିନ୍ନ ଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଛି। ଫେରାର ଦୁର୍ବୃତ୍ତମାନଙ୍କୁ ଧରିବା ପାଇଁ ଆଖପାଖ ଅଞ୍ଚଳରେ ଚେକିଂ ଓ ନାକାବନ୍ଦୀ କଡ଼ାକଡ଼ି କରାଯାଇଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଓ ଚାଞ୍ଚଲ୍ୟ ଖେଳିଯାଇଛି।




