କେନ୍ଦୁଝର: ପବିତ୍ର ଶ୍ରାବଣ ମାସର ପ୍ରଥମ ସୋମବାର ଅବସରରେ କେନ୍ଦୁଝର ଜିଲ୍ଲାର ଦେଓଗାଁ ସ୍ଥିତ ପ୍ରସିଦ୍ଧ ଶୈବପୀଠ ବାବା କୁଶଳେଶ୍ୱର ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ସକାଳୁ ସକାଳୁ ବାବାଙ୍କ ଦର୍ଶନ ଏବଂ ଜଳାଭିଷେକ ପାଇଁ ଶ୍ରଦ୍ଧାଳୁଙ୍କ ଲମ୍ବା ଧାଡ଼ି ଲାଗିରହିଛି। ଜିଲ୍ଲାର ବିଭିନ୍ନ ଅଞ୍ଚଳ ସମେତ ରାଜ୍ୟର କୋଣ ଅନୁକୋଣରୁ ଶହ ଶହ କାଉଡ଼ିଆ ଭକ୍ତ ପବିତ୍ର ଜଳ ଆଣି ବାବା କୁଶଳେଶ୍ୱରଙ୍କ ନିକଟରେ ଲାଗି କରିଛନ୍ତି।

ଶ୍ରାବଣୀ ସୋମବାର ପାଇଁ ଭୋର ପ୍ରାୟ ସାଢ଼େ ଦୁଇଟାରୁ ମନ୍ଦିରର ଦ୍ୱାରଫିଟା, ନୀତିକାନ୍ତି ଏବଂ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା। ସମସ୍ତ ପୂଜା ନୀତି ଶେଷ ହେବା ପରେ ଭକ୍ତମାନଙ୍କ ପାଇଁ ସାଧାରଣ ଦର୍ଶନ ବ୍ୟବସ୍ଥା ଖୋଲାଯାଇଥିଲା। ଏହାପରେ ହଜାର ହଜାର ଶ୍ରଦ୍ଧାଳୁ ଶୃଙ୍ଖଳିତ ଭାବେ ଧାଡ଼ିରେ ଯାଇ ବାବାଙ୍କ ଦର୍ଶନ କରିବା ସହ ଜଳାଭିଷେକ କରିଥିଲେ। ମନ୍ଦିର ପରିସରରେ ‘ବୋଲ ବମ୍, ହର ହର ବମ୍’ ଏବଂ ‘ଓଁ ନମଃ ଶିବାୟ’ ଧ୍ୱନି ପ୍ରତିଧ୍ୱନିତ ହୋଇ ସମଗ୍ର ପରିବେଶକୁ ଭକ୍ତିମୟ କରିତୋଳିଛି।

ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା

କାଉଡ଼ିଆ ଏବଂ ଆଗତ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ଓ ସ୍ଥାନୀୟ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ଓ ଶୃଙ୍ଖଳା ରକ୍ଷା ବ୍ୟବସ୍ଥା କରାଯାଇଛି। ଭକ୍ତମାନେ ଯେପରି ସୁବିଧାରେ ଦର୍ଶନ କରିପାରିବେ, ସେଥିପାଇଁ ସ୍ୱେଚ୍ଛାସେବୀ ଓ ପୁଲିସ କର୍ମଚାରୀମାନେ ନିୟୋଜିତ ରହି ସହଯୋଗ କରୁଛନ୍ତି।

ଧାର୍ମିକ ବିଶ୍ୱାସ ରହିଛି ଯେ ଶ୍ରାବଣ ମାସର ପ୍ରଥମ ସୋମବାରରେ ବାବା କୁଶଳେଶ୍ୱରଙ୍କ ନିକଟରେ ନିଷ୍ଠାର ସହ ଜଳାଭିଷେକ କଲେ ମନସ୍କାମନା ପୂରଣ ହୋଇଥାଏ। ସେଥିପାଇଁ ପ୍ରତିବର୍ଷ ଏହି ପବିତ୍ର ଦିନରେ ବାବା କୁଶଳେଶ୍ୱରଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଅଭୂତପୂର୍ବ ସମାଗମ ହୋଇଥାଏ।