ଭୁବନେଶ୍ୱର: ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିବା ଜିଆର୍‌ପି କନଷ୍ଟେବଳ ସୌମ୍ୟ ରଞ୍ଜନ ସ୍ବାଇଁଙ୍କ ହତ୍ୟା ମାମଲାରେ ଏବେ ଦିନକୁ ଦିନ ନୂଆ ନୂଆ ଗୁମର ଖୋଲିବାରେ ଲାଗିଛି। ମାମଲାରେ ଚାର୍ଜସିଟ୍ ଦାଖଲ ହେବା ପୂର୍ବରୁ କ୍ରାଇମବ୍ରାଞ୍ଚ ମୁଖ୍ୟ କାର୍ଯ୍ୟାଳୟରେ ମୃତ ସୌମ୍ୟଙ୍କ ବାପା ଦୁଃଶାସନ ସ୍ୱାଇଁ ହାଜର ହୋଇଛନ୍ତି। କ୍ରାଇମବ୍ରାଞ୍ଚ ଅଧିକାରୀମାନେ ତାଙ୍କୁ ଦୀର୍ଘ ୫ ଘଣ୍ଟା ଧରି କ୍ରମାଗତ ଭାବେ ପଚରାଉଚରା କରି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରିଛନ୍ତି।

ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଏବଂ ପରିବାର ପାଇଁ ନ୍ୟାୟ ଦାବି କରି ସୌମ୍ୟଙ୍କ ବାପା କ୍ରାଇମବ୍ରାଞ୍ଚ ନିକଟରେ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମୋବାଇଲ୍ ଫୋନ୍ ଦାଖଲ କରିଛନ୍ତି। ଏହି ଫୋନରେ ହତ୍ୟାକାଣ୍ଡ ସମ୍ବନ୍ଧୀୟ ଅନେକ ଗୁପ୍ତ ସତ୍ୟ ଲୁଚି ରହିଥିବା ପରିବାର ପକ୍ଷରୁ ଦାବି କରାଯାଇଛି।

ସାମ୍ନାକୁ ଆସିଲା ଆଇପିଏସ୍‌ଙ୍କୁ ସୌମ୍ୟଙ୍କ ଶେଷ ମେସେଜ୍

ସବୁଠାରୁ ଚାଞ୍ଚଲ୍ୟକର ବିଷୟ ହେଉଛି; ଯେଉଁଦିନ ସୌମ୍ୟ ଭିଡ଼ ହିଂସାର ଶିକାର ହୋଇଥିଲେ, ସେହିଦିନ ସକାଳେ ସେ ନିଲମ୍ବିତ ଆଇପିଏସ୍ ତଥା ଏଡିଜି ଦୟାଲ ଗଙ୍ଗୱାରଙ୍କୁ ଏକ ମେସେଜ୍ ପଠାଇଥିଲେ। ସେହି ମେସେଜ୍‌ରେ ଲେଖାଥିଲା, ‘ମୋତେ କ୍ଷମା କରିଦେବେ, ଆଉ ଏପରି ଭୁଲ କେବେ ହେବ ନାହିଁ’। ଜଣେ କନଷ୍ଟେବଳଙ୍କ ଏପରି ଭୟଭୀତ ମେସେଜ୍ ସାମ୍ନାକୁ ଆସିବା ପରେ, ଏହା ପଛର ପ୍ରକୃତ କାରଣ ଏବଂ ହତ୍ୟାକାଣ୍ଡ ସହ ଏହାର ସମ୍ପର୍କକୁ ନେଇ କ୍ରାଇମବ୍ରାଞ୍ଚ ତନାଘନା ଜୋରଦାର କରିଛି।

ପରିବାରର ଲାଏ ଡିଟେକ୍ସନ୍ ଟେଷ୍ଟ ଦାବି

ସୌମ୍ୟଙ୍କ ବାପା ଏବଂ ତାଙ୍କ ସହଯୋଗୀମାନେ ଦାବି କରିଛନ୍ତି ଯେ, ଏହି ଘଟଣାରେ ପୂର୍ବରୁ ବୟାନ ଦେଇଥିବା ଦୁଇଜଣ ଯୁବତୀଙ୍କର ସତ୍ୟତା ପରଖିବା ପାଇଁ ‘ଲାଏ ଡିଟେକ୍ସନ ଟେଷ୍ଟ’ (Lie Detection Test) କରାଯାଉ। ଏଥିସହ ଘଟଣା ଦିନ ସୌମ୍ୟଙ୍କ ଗାଡ଼ି ଚାବି ନିଜ ପାଖରେ ରଖିଥିବା ବିରଞ୍ଚି ନାମକ ବ୍ୟକ୍ତିଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି ହୋଇଛି।

ସୂଚନାଯୋଗ୍ୟ, ବାଲିଅନ୍ତା ଥାନା ରାମଚନ୍ଦ୍ରପୁର କାଜ ନିକଟରେ ଏକ ଦୁର୍ଘଟଣାକୁ କେନ୍ଦ୍ର କରି ସୌମ୍ୟଙ୍କୁ ଭିଡ଼ ନିର୍ମମ ଭାବେ ପିଟିପିଟି ହତ୍ୟା କରିଥିଲା। ସୌମ୍ୟଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେବା ଅଭିଯୋଗରେ ରାଜ୍ୟ ସରକାର ଆଇପିଏସ୍ ଦୟାଲ ଗଙ୍ଗୱାରଙ୍କୁ ଜୁନ୍ ୧୮ରେ ନିଲମ୍ବିତ କରିସାରିଛନ୍ତି। ମାମଲାରେ ଏପର୍ଯ୍ୟନ୍ତ ୨୦ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଏହି ନୂଆ ମୋବାଇଲ୍ ଜବତ ହେବା ପରେ କ୍ରାଇମବ୍ରାଞ୍ଚ ତଦନ୍ତ ଅଧିକ ସୂକ୍ଷ୍ମ ହୋଇଛି।