ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ପୁଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲ୍ଲାରେ ସକ୍ରିୟ ଥିବା ଏକ ଆନ୍ତଃଜିଲ୍ଲା ସିନ୍ଧିଚୋର ଗ୍ୟାଙ୍ଗ୍‌ର ପର୍ଦ୍ଦାଫାଶ କରିବା ସହ ପୁଲିସ ୧୨ ଜଣଙ୍କୁ ଗିରଫ କରିଛି। ଗିରଫଙ୍କ ମଧ୍ୟରେ ୧୧ ଜଣ ମୁଖ୍ୟ ଅଭିଯୁକ୍ତ ଏବଂ ଜଣେ ଚୋରି ସାମଗ୍ରୀ କିଣୁଥିବା ବ୍ୟକ୍ତି ସାମିଲ ଅଛନ୍ତି। ଅଭିଯୁକ୍ତଙ୍କ ନିକଟରୁ ପୁଲିସ ୫୦୦ ଗ୍ରାମ୍ ସୁନା ଅଳଙ୍କାର ଏବଂ ୧୧ କିଲୋଗ୍ରାମ୍ ରୂପା ଗହଣା ଜବତ କରିଛି।

ଏହି ଗିରଫଦାରୀ ଫଳରେ ଗତ ଦୁଇ ବର୍ଷ ମଧ୍ୟରେ ଖୋର୍ଦ୍ଧା ଏବଂ ପଡ଼ୋଶୀ ନୟାଗଡ଼ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ଘଟିଥିବା ମୋଟ ୧୫ଟି ବଡ଼ ଧରଣର ଚୋରି ମାମଲାର ପର୍ଦ୍ଦାଫାଶ ହୋଇପାରିଛି।

ପୁଲିସ ସୂଚନା ଅନୁଯାୟୀ, ଏହି ସିନ୍ଧିଚୋର ଗ୍ୟାଙ୍ଗ୍ ଦୀର୍ଘ ଦିନ ହେବ ସୁନା ଦୋକାନ ଏବଂ ଆବାସିକ ଘରଗୁଡ଼ିକୁ ଟାର୍ଗେଟ୍ କରି ଚୋରି କରୁଥିଲେ।

ଗତ ଅକ୍ଟୋବର ୨୭-୨୮ ରାତିରେ ବାଲୁଗାଁ/ବାଣପୁର ଅଞ୍ଚଳର ଏକ ଗହଣା ଦୋକାନର ୧୦ ଇଞ୍ଚ ମୋଟା ପଛ କାନ୍ଥ ଭାଙ୍ଗି ଚୋରମାନେ ୫ ଲକ୍ଷ ଟଙ୍କା ନଗଦ ସହ ୪୦୦ ଗ୍ରାମ୍ ସୁନା ଓ ୧୩ କିଗ୍ରା ରୂପା ଲୁଟି ନେଇଥିଲେ। ସେହିପରି ସେପ୍ଟେମ୍ବର ୧୩-୧୪ ରାତିରେ ଟାଙ୍ଗୀ ଅଞ୍ଚଳର ଏକ ଘରୁ ମଧ୍ୟ ମୋଟା ଅଙ୍କର ଗହଣା ଚୋରି ହୋଇଥିଲା। ଖୋର୍ଦ୍ଧାର ଟାଙ୍ଗୀ, ନାଚୁଣୀ, ବାଣପୁର, ବାଲୁଗାଁ ଏବଂ ନୟାଗଡ଼ ଜିଲ୍ଲାର ଚାନ୍ଦପୁର ଥାନାରେ ଏହିସବୁ ମାମଲା ରୁଜୁ ହୋଇଥିଲା।

କ୍ରମାଗତ ଚୋରି ଘଟଣା ପରେ ଖୋର୍ଦ୍ଧା ଏସ୍‌ପି ପାରମାର ସ୍ମିତ୍ ପାର୍ଷୋତ୍ତମଦାସଙ୍କ ନିର୍ଦ୍ଦେଶ ଏବଂ ବାଲୁଗାଁ ଏସ୍‌ଡିପିଓ ସଞ୍ଜୟ କୁମାର ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସ୍ୱତନ୍ତ୍ର ପୁଲିସ ଟିମ୍ ଗଠନ କରାଯାଇଥିଲା। ଅପରାଧର ତରିକା ଅନୁଧ୍ୟାନ କରି ପୁଲିସ ଖୋର୍ଦ୍ଧା, ଗଞ୍ଜାମ ଏବଂ ପୁରୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଅଭିଯୁକ୍ତମାନଙ୍କୁ ଗିରଫ କରିଛି।

ଏହି ସଫଳତା ଦ୍ୱାରା ବ୍ୟବସାୟୀ, ବିଶେଷ କରି ସୁନା ଦୋକାନୀ ଏବଂ ସ୍ଥାନୀୟ ସାଧାରଣ ଜନତାଙ୍କ ମଧ୍ୟରେ ଆସ୍ଥା ଫେରିଆସିଛି। ପୁଲିସ ଏବେ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।