କୋରାପୁଟ: ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ କୋଟିଆ ସୀମା ବିବାଦ କୌଣସି ନୂଆ କଥା ନୁହେଁ, କିନ୍ତୁ ଏହି ବିବାଦ ଭିତରେ ଆନ୍ଧ୍ରର କ୍ରମବର୍ଦ୍ଧିଷ୍ଣୁ ପ୍ରଭାବ ରାଜ୍ୟ ପାଇଁ ଏକ ବଡ଼ ଚିନ୍ତାର ବିଷୟ ପାଲଟିଛି। କୋଟିଆର ୨୧ଟି ବିବାଦୀୟ ଗାଁର ପ୍ରାୟ ୨୭୦୦ରୁ ଅଧିକ ଭୋଟର ଆନ୍ଧ୍ରର ଭୋଟର ତାଲିକାରେ ସାମିଲ ହେବା ଏବଂ ସେଠାରେ ମତଦାନ କରିବା ଘଟଣା ଏହି ସମସ୍ୟାର ଗମ୍ଭୀରତାକୁ ପୁଣି ଥରେ ପଦାରେ ପକାଇଛି।
ଦଶନ୍ଧି ଦଶନ୍ଧି ଧରି ସୀମା ବିବାଦର ସମାଧାନ ହୋଇନଥିବା ବେଳେ କୋଟିଆବାସୀ ଉଭୟ ରାଜ୍ୟର ଭୋଟ କାର୍ଡ, ରାସନ, ପେନସନ ଓ ସରକାରୀ ଯୋଜନାର ସୁବିଧା ନେବାକୁ ବାଧ୍ୟ ହେଉଛନ୍ତି। କେବଳ ନିର୍ବାଚନ ବେଳେ ଅଧିକାରୀଙ୍କ ଦୌଡ଼ କିମ୍ବା ରାଜନୈତିକ ବୟାନବାଜି ଦ୍ୱାରା କୋଟିଆରେ ଓଡ଼ିଶାର ସ୍ଥିତି କେବେ ବି ମଜବୁତ ହୋଇପାରିବ ନାହିଁ।
କୋଟିଆରେ ଆନ୍ଧ୍ରର ପ୍ରଭାବ କେବଳ ପ୍ରଶାସନିକ ସ୍ତରରେ ସୀମିତ ନାହିଁ, ବରଂ ଏହା ଭାଷା ଓ ସଂସ୍କୃତିକୁ ମଧ୍ୟ ପ୍ରଭାବିତ କରୁଛି। ଭାଷା କେବଳ କଥାବାର୍ତ୍ତାର ମାଧ୍ୟମ ନୁହେଁ, ଏହା ଗୋଟିଏ ଅଞ୍ଚଳର ପରିଚୟ। କୋଟିଆରେ ଆନ୍ଧ୍ରର ଭାଷା ଓ ଶିକ୍ଷା ବ୍ୟବସ୍ଥାର ପ୍ରସାର ଓଡ଼ିଶା ପାଇଁ ଏକ ବଡ଼ ଆହ୍ୱାନ ଥିଲା, ଯାହା ପ୍ରତି ସମୟରେ ଯଥାସମୟରେ ତତ୍ପରତା ପ୍ରକାଶ ପାଇଲା କି ନାହିଁ, ତାହା ବଡ଼ ପ୍ରଶ୍ନ।
କୋଟିଆର ଲଢ଼େଇ କେବଳ ଭୂମି କିମ୍ବା ଜମିର ନୁହେଁ, ଏହା ଲୋକଙ୍କ ବିଶ୍ୱାସ ଏବଂ ସ୍ୱାଭିମାନର ଲଢ଼େଇ। ଯେପର୍ଯ୍ୟନ୍ତ ପ୍ରତ୍ୟେକ ଗାଁରେ ରାସ୍ତା, ପାନୀୟ ଜଳ, ସ୍ୱାସ୍ଥ୍ୟ, ଗୁଣାତ୍ମକ ଶିକ୍ଷା ଏବଂ ଜୀବିକାର ସ୍ଥାୟୀ ବ୍ୟବସ୍ଥା ନହୋଇଛି, ସେପର୍ଯ୍ୟନ୍ତ କେବଳ ଭୌଗୋଳିକ ଅଧିକାରର ଦାବି ଅସମ୍ପୂର୍ଣ୍ଣ ରହିବ।
ଏବେ ସମୟ ଆସିଛି, କେବଳ ଆଇନଗତ କିମ୍ବା ରାଜନୈତିକ ଯୁକ୍ତି ବଦଳରେ ତୃଣମୂଳ ସ୍ତରରେ ଏକ ସୁଦୃଢ଼ ଓ ସ୍ଥାୟୀ ରଣନୀତି ପ୍ରସ୍ତୁତ କରାଯାଉ। ଓଡ଼ିଆ ଭାଷା, ସଂସ୍କୃତିର ସୁରକ୍ଷା ସହିତ ସ୍ଥାନୀୟ ଆଦିବାସୀ ଭାଇଭଉଣୀଙ୍କୁ ସରକାରୀ ସୁବିଧା ଏବଂ ମାନସିକ ସ୍ତରରେ ଆପଣେଇବାକୁ ପଡ଼ିବ। ଲୋକଙ୍କ ହୃଦୟ ଓ ଆସ୍ଥା ଜିତିବା ହିଁ କୋଟିଆ ସମସ୍ୟାର ଏକମାତ୍ର ସ୍ଥାୟୀ ସମାଧାନ।




