ଭୁବନେଶ୍ୱର: ସୀମାନ୍ତ କୋଟିଆ ଅଞ୍ଚଳକୁ ନେଇ ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶ ମଧ୍ୟରେ ବିବାଦ ଆହୁରି ତୀବ୍ର ହୋଇଛି। ଆନ୍ଧ୍ରପ୍ରଦେଶ ସରକାରଙ୍କ ଏକଚାଟିଆ ପଞ୍ଚାୟତ ନିର୍ବାଚନ ବିଜ୍ଞପ୍ତି ବିରୋଧରେ ଓଡ଼ିଶା ସରକାର ଦ୍ୱିମୁଖୀ ରଣନୀତି ଆପଣାଇଛନ୍ତି। ଗୋଟିଏ ପଟେ ସୁପ୍ରିମକୋର୍ଟରେ ଅଦାଲତ ଅବମାନନା ଆବେଦନ ଦାଖଲ କରାଯାଇଥିବା ବେଳେ ଅନ୍ୟପଟେ ରାଜନୈତିକ ସହମତି ପାଇଁ ଶନିବାର ଏକ ସର୍ବଦଳୀୟ ବୈଠକ ଡକାଯାଇଛି।
ଆନ୍ଧ୍ରପ୍ରଦେଶ ସରକାର କୋଟିଆ ଗ୍ରାମପଞ୍ଚାୟତ ଅଞ୍ଚଳରେ ସରପଞ୍ଚ ଓ ସମିତି ସଭ୍ୟ ନିର୍ବାଚନ ପାଇଁ ନିକଟରେ ବିଜ୍ଞପ୍ତି ଜାରି କରିଛନ୍ତି, ଯାହାକୁ ସୁପ୍ରିମକୋର୍ଟଙ୍କ ଯଥାସ୍ଥିତି ନିର୍ଦ୍ଦେଶର ସରାସରି ଉଲ୍ଲଂଘନ ବୋଲି ଓଡ଼ିଶା ଦର୍ଶାଇଛି।ଏହାର ଜବାବରେ ରାୟଗଡ଼ା ଜିଲ୍ଲାପାଳଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଅଦାଲତ ଅବମାନନା ମାମଲା (Diary No. 66727/26) ରୁଜୁ କରାଯାଇଛି। ଏହି ଆବେଦନରେ ଆନ୍ଧ୍ରପ୍ରଦେଶର ମୁଖ୍ୟ ଶାସନ ସଚିବ ଜି. ସାଈ ପ୍ରସାଦ, ରାଜ୍ୟ ନିର୍ବାଚନ କମିଶନର ଅନିଲ ଚନ୍ଦ୍ର ପୁନେଥା, ଗୃହ ସଚିବ, ପଞ୍ଚାୟତରାଜ ସଚିବ, ଏବଂ ପାର୍ବତୀପୁରମ୍ ମନ୍ୟମ୍ ଜିଲ୍ଲାପାଳଙ୍କ ସମେତ ଏକାଧିକ ବରିଷ୍ଠ ଅଧିକାରୀଙ୍କୁ ପକ୍ଷଭୁକ୍ତ କରାଯାଇଛି।
ବିକାଶମୂଳକ କାର୍ଯ୍ୟ ଜରିଆରେ ସ୍ଥିତି ସୁଦୃଢ଼
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି ଯେ, ଆନ୍ଧ୍ରର ଅନୁପ୍ରବେଶକୁ ରୋକିବା ପାଇଁ କୋଟିଆ ଅଞ୍ଚଳରେ ବିକାଶମୂଳକ କାର୍ଯ୍ୟକୁ ଦ୍ରୁତଗତିରେ ଆଗେଇ ନିଆଯାଉଛି।
ଯୋଜନାର ସଫଳ ରୂପାୟନ: କୋଟିଆବାସୀଙ୍କୁ ‘ସୁଭଦ୍ରା ଯୋଜନା’, ରାସନ୍ କାର୍ଡ ଏବଂ ଅନ୍ୟାନ୍ୟ ସରକାରୀ ସୁବିଧାସୁଯୋଗ ଯୋଗାଇ ଦିଆଯାଉଛି।
ଭୌତିକ ଭିତ୍ତିଭୂମି: ପର୍ଯ୍ୟଟନ, ଶିକ୍ଷା ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି।
୧୯୩୬ ମସିହାରେ ଓଡ଼ିଶା ସ୍ୱତନ୍ତ୍ର ରାଜ୍ୟ ଭାବେ ଗଠିତ ହେବା ଦିନଠାରୁ କୋଟିଆ ଗ୍ରାମପଞ୍ଚାୟତ ଓଡ଼ିଶାର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିଆସିଛି। ୧୯୬୮ ମସିହାରେ ଏହି ବିବାଦ ସୁପ୍ରିମକୋର୍ଟକୁ ଯିବା ପରେ ଅଦାଲତ ଦୁଇ ରାଜ୍ୟକୁ ଯଥାସ୍ଥିତି ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଆନ୍ଧ୍ରପ୍ରଦେଶ ବାରମ୍ବାର ନିର୍ବାଚନୀ ପ୍ରକ୍ରିୟା ଜାରି କରି ଏହି ନିର୍ଦ୍ଦେଶକୁ ଉଲ୍ଲଂଘନ କରୁଥିବାରୁ ଓଡ଼ିଶା ସରକାର ଆଇନଗତ ଓ ପ୍ରଶାସନିକ ସ୍ତରରେ ଦୃଢ଼ ପଦକ୍ଷେପ ଗ୍ରହଣ କରୁଛନ୍ତି।




