ଭୁବନେଶ୍ୱର: କୋଟିଆ ପ୍ରସଙ୍ଗକୁ ନେଇ ରାଜ୍ୟରେ ରାଜନୈତିକ ତାତି ବଢ଼ିଛି। ଏହି ପ୍ରସଙ୍ଗରେ ବିରୋଧୀ ଦଳର ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଖୋଲା ବିତର୍କ ପାଇଁ ଆହ୍ୱାନ ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ଗତ ୨୫ ବର୍ଷ ଧରି ରାଜ୍ୟରେ ଶାସନ କରିଥିବା ପୂର୍ବ ସରକାର କୋଟିଆର ସୁରକ୍ଷା ଓ ବିକାଶ ପାଇଁ କ’ଣ କରିଛନ୍ତି, ତାହାର ଜବାବ ମାଗିଛନ୍ତି ସେ।
କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆରେ ଆନ୍ଧ୍ରପ୍ରଦେଶ ପକ୍ଷରୁ ନିର୍ବାଚନ କରାଇବା ନେଇ ପ୍ରସ୍ତୁତି ଚାଲିଥିବା ପ୍ରସଙ୍ଗରେ ମଙ୍ଗଳବାର ଏକ ବିଭାଗୀୟ ବୈଠକ ଡାକିଥିଲେ ସୁରେଶ ପୂଜାରୀ। ସମ୍ବଲପୁରରୁ ଆଭାସୀ ମାଧ୍ୟମରେ ସେ ବୈଠକରେ ଯୋଗଦେଇଥିଲେ। ଏଥିରେ କୋରାପୁଟ ଜିଲ୍ଲାପାଳ, ଏସ୍ପି, ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର, ରାଜସ୍ୱ ଓ ଗୃହ ବିଭାଗର ଅଧିକାରୀଙ୍କ ସମେତ ପୁଲିସ ବିଭାଗର ବରିଷ୍ଠ ଅଧିକାରୀମାନେ ସାମିଲ ହୋଇଥିଲେ।
ଆନ୍ଧ୍ରର ପଦକ୍ଷେପର ମୁକାବିଲା ପାଇଁ ଯୋଜନା
ବୈଠକରେ ଆନ୍ଧ୍ରପ୍ରଦେଶର ନୂଆ ପଦକ୍ଷେପର ମୁକାବିଲା ପାଇଁ ଆଗୁଆ ଯୋଜନା ପ୍ରସ୍ତୁତ କରିବା ଉପରେ ଆଲୋଚନା ହୋଇଥିଲା। ଏହି ପ୍ରସଙ୍ଗରେ ଆଇନ ସଚିବ ଓ ଆଡଭୋକେଟ୍ ଜେନେରାଲଙ୍କ ସହ ମଧ୍ୟ ଆଲୋଚନା କରାଯିବ ବୋଲି ମନ୍ତ୍ରୀ କହିଥିଲେ।
କୋଟିଆ ଓଡ଼ିଶାର ଅବିଚ୍ଛେଦ୍ୟ ଅଙ୍ଗ ବୋଲି ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ଦୋହରାଇବା ସହ ଏହାର ସୁରକ୍ଷା ପାଇଁ ଆବଶ୍ୟକ ପ୍ରଶାସନିକ ଓ ଆଇନଗତ ପଦକ୍ଷେପ ନିଆଯିବା ଉପରେ ଗୁରୁତ୍ୱ ଦିଆଯାଇଛି।
ନବୀନଙ୍କ ଚିଠିକୁ ନେଇ ପ୍ରଶ୍ନ
କୋଟିଆ ପ୍ରସଙ୍ଗରେ ନବୀନ ପଟ୍ଟନାୟକ ରାଜ୍ୟ ସରକାରଙ୍କୁ ଚିଠି ଲେଖିବା ପରେ ସୁରେଶ ପୂଜାରୀ ବିରୋଧୀ ଦଳକୁ ଟାର୍ଗେଟ୍ କରିଥିଲେ। ପୂର୍ବ ସରକାରଙ୍କ ଦୀର୍ଘ ୨୫ ବର୍ଷର ଶାସନ କାଳରେ କୋଟିଆ ସମସ୍ୟାର ସମାଧାନ ଦିଗରେ କେତେ ଦୂର ଅଗ୍ରଗତି ହୋଇଥିଲା, ତାହା ଉପରେ ଖୋଲା ବିତର୍କ ହେବା ଉଚିତ ବୋଲି ସେ ଆହ୍ୱାନ ଦେଇଥିଲେ।
ଦୀର୍ଘଦିନର ସୀମା ବିବାଦ
ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ କୋଟିଆ ଗ୍ରାମପୁଞ୍ଜକୁ ନେଇ ଦୀର୍ଘଦିନ ଧରି ବିବାଦ ଲାଗିରହିଛି। ଏହି ଅଞ୍ଚଳର କିଛି ଗ୍ରାମ ଉପରେ ଉଭୟ ରାଜ୍ୟ ନିଜ ଅଧିକାର ଦାବି କରୁଛନ୍ତି। ମାମଲାଟି ସୁପ୍ରିମକୋର୍ଟରେ ବିଚାରାଧୀନ ଥିବାବେଳେ ଆନ୍ଧ୍ରପ୍ରଦେଶର ନିର୍ବାଚନ ପ୍ରସ୍ତୁତି ଏହି ବିବାଦକୁ ପୁଣି ଚର୍ଚ୍ଚାକୁ ଆଣିଛି।




