ପୁରୀ: ପବିତ୍ର କୁମାର ପୂର୍ଣ୍ଣିମା ଉପଲକ୍ଷେ ଉତ୍ସବମୁଖର ହୋଇଉଠିଛି ଶ୍ରୀକ୍ଷେତ୍ର। ଏହି ସ୍ୱତନ୍ତ୍ର ଅବସରରେ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବିଶେଷ ନୀତିକାନ୍ତି ଓ ସଂସ୍କୃତିର ଅନନ୍ୟ ପରମ୍ପରା ପାଳିତ ହେଉଛି। ଧାର୍ମିକ ମାନ୍ୟତା ଅନୁଯାୟୀ, କୁମାର ପୂର୍ଣ୍ଣିମା ରାତିରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା’ ମହାଲକ୍ଷ୍ମୀଙ୍କ ମଧ୍ୟରେ ପାରମ୍ପରିକ ଦ୍ୟୂତକ୍ରୀଡ଼ା ବା ପଶା-କଉଡ଼ି ଖେଳ ଅନୁଷ୍ଠିତ ହେବାର ବିଧି ରହିଛି।

ମଧ୍ୟାହ୍ନ ଧୂପ ନୀତି ସମ୍ପନ୍ନ ହେବା ପରେ ଶ୍ରୀଦେବୀ ଓ ଭୂଦେବୀ ଖଟଶେଯ ଘରକୁ ବିଜେ କରିବେ। ଏହାପରେ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ପ୍ରଭୁ ଶ୍ରୀସୁଦର୍ଶନ ଚଉଦୋଳରେ ବିରାଜମାନ ହୋଇ ଶ୍ରୀକ୍ଷେତ୍ରର ଚାରି ଆଶ୍ରମକୁ ବିଜେ କରିବେ।ଚାରି ଆଶ୍ରମରେ ଶ୍ରୀସୁଦର୍ଶନଙ୍କ ପନ୍ତିଭୋଗ ଏବଂ ସ୍ୱତନ୍ତ୍ର ବନ୍ଦାପନା ନୀତି ସାଙ୍ଗ ହେବ।

ରାତିରେ ବଡ଼ସିଂହାର ଭୋଗ ଶେଷ ହେବା ପରେ ରତ୍ନସିଂହାସନ ଉପରେ ଏବଂ ତଳେ ଏହି ପାରମ୍ପରିକ ଦ୍ୟୂତକ୍ରୀଡ଼ା ଆରମ୍ଭ ହେବ। ୨୧ଟି ହିଙ୍ଗୁଳ କଉଡ଼ି ଓ ୨୧ଟି ରୂପା କଉଡ଼ି ସାହାଯ୍ୟରେ ପଶା-ଶକଟା ଖେଳ ଅନୁଷ୍ଠିତ ହେବ।

ଏହି ଖେଳରେ ମହାପ୍ରଭୁଙ୍କ ପକ୍ଷରୁ ମୁଦିରସ୍ତ ଏବଂ ମା’ ମହାଲକ୍ଷ୍ମୀଙ୍କ ପକ୍ଷରୁ ଭିତରଚ୍ଛ ମହାପାତ୍ର ପ୍ରତିନିଧିତ୍ୱ କରିବେ।ଏହି କ୍ରୀଡ଼ାର ସର୍ତ୍ତ ଅନୁଯାୟୀ, ମା’ ମହାଲକ୍ଷ୍ମୀଙ୍କଠାରୁ ମହାପ୍ରଭୁ ପରାଜିତ ହେବେ। ପରାଜୟ ପରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଶ୍ରୀମାଧବ ଆଗାମୀ ୭ ଦିନ ପର୍ଯ୍ୟନ୍ତ ମା’ ଲକ୍ଷ୍ମୀଙ୍କ ମନ୍ଦିରରେ ବନ୍ଧା ହୋଇ ରହିବେ। ପରମ୍ପରା ଅନୁସାରେ, ଅଷ୍ଟମୀ ଦିନ ଅବକାଶ ପୂଜା ସମୟରେ ଶ୍ରୀମାଧବ ପୁନର୍ବାର ରତ୍ନସିଂହାସନକୁ ଫେରିବେ।

ଶ୍ରୀମନ୍ଦିରର ଏହି ଆଧ୍ୟାତ୍ମିକ ଓ ମନୋରମ ପରମ୍ପରା କୁମାର ପୂର୍ଣ୍ଣିମାର ମାହାତ୍ମ୍ୟକୁ ଆହୁରି ସ୍ୱତନ୍ତ୍ର ଓ ଆକର୍ଷଣୀୟ କରିଥାଏ।