ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍ରେ ଆରମ୍ଭ ହୋଇଛି ୫ ଦିନିଆ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ମହକ-୨୦୨୬’। ନଭେମ୍ବର ୩ରୁ ୭ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ମହୋତ୍ସବରେ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାର ଶିଶୁ ଯତ୍ନ ଅନୁଷ୍ଠାନ (Child Care Institutions)ର ପ୍ରତିଭାବାନ ଶିଶୁମାନେ ଭାଗ ନେଉଛନ୍ତି। ମଙ୍ଗଳବାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ରଙ୍ଗବେରଙ୍ଗ ବେଲୁନ୍ ଉଡ଼ାଇ ଏହି ଉତ୍ସବର ଶୁଭାରମ୍ଭ କରିଥିଲେ।
ମହିଳା ଓ ଶିଶୁ ବିକାଶ ବିଭାଗ ଅଧୀନରେ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ସମିତି (OSCPS) ପକ୍ଷରୁ ଏହି ମହୋତ୍ସବ ଆୟୋଜନ କରାଯାଇଛି। ଉଦ୍ଘାଟନୀ ସମାରୋହରେ ଶିଶୁମାନଙ୍କୁ ଉତ୍ସାହିତ କରି ଉପମୁଖ୍ୟମନ୍ତ୍ରୀ କହିଥିଲେ, ବଡ଼ ସ୍ୱପ୍ନ ଦେଖିବା ସହ ନୂଆ ଦିଗ ଅନ୍ୱେଷଣ କରିବା ଉଚିତ। ପ୍ରତ୍ୟେକ ଶିଶୁଙ୍କୁ ସମ୍ମାନ, ସମାନ ସୁଯୋଗ ଓ ଉପଯୁକ୍ତ ମାର୍ଗଦର୍ଶନ ଦେବା ରାଜ୍ୟ ସରକାରଙ୍କ ଦାୟିତ୍ୱ ବୋଲି ସେ କହିଥିଲେ।
କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଶିଶୁମାନଙ୍କ ଉତ୍ସାହ, ଆତ୍ମବିଶ୍ୱାସ ଓ ପ୍ରତିଭାର ପ୍ରଶଂସା କରିଥିଲେ। ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ସଫଳ ହୋଇ ଏଠାକୁ ଆସିଥିବା ଶିଶୁମାନଙ୍କୁ ସେ ଶୁଭେଚ୍ଛା ଜଣାଇଥିଲେ।
ଦୁଇ ଭାଗରେ ଆୟୋଜିତ ହେବ ମହୋତ୍ସବ
ଏହି ପାଞ୍ଚଦିନିଆ ମହୋତ୍ସବକୁ ଦୁଇଟି ଭାଗରେ ବିଭକ୍ତ କରାଯାଇଛି। ନଭେମ୍ବର ୩ ଓ ୪ ତାରିଖରେ ‘ମହକ’ ଅଧୀନରେ ନୃତ୍ୟ, ସଙ୍ଗୀତ, ଚିତ୍ରକଳା, ବିତର୍କ ଓ କୁଇଜ୍ ଭଳି ସୃଜନଶୀଳ ଓ ସାଂସ୍କୃତିକ ପ୍ରତିଯୋଗିତା ହେବ। ଏଥିରେ ବିଜେତା ଶିଶୁମାନଙ୍କୁ ବୁଧବାର ଅନୁଷ୍ଠିତ ହେବାକୁ ଥିବା ସମାରୋହରେ ପୁରସ୍କୃତ କରାଯିବ।
ସେହିପରି ନଭେମ୍ବର ୫ରୁ ୭ ତାରିଖ ପର୍ଯ୍ୟନ୍ତ ‘ଉତ୍ସାହ’ କାର୍ଯ୍ୟକ୍ରମରେ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ଆୟୋଜିତ ହେବ। ଏହା ମାଧ୍ୟମରେ ଶିଶୁମାନଙ୍କ ଶାରୀରିକ ଦକ୍ଷତା, ଦଳଗତ ମନୋଭାବ ଓ ପ୍ରତିଯୋଗିତାମୂଳକ ମନୋଭାବର ବିକାଶ ଉପରେ ଗୁରୁତ୍ୱ ଦିଆଯିବ।
ଉନ୍ମୋଚିତ ହେଲା ଅନାଥ ଶିଶୁ ସର୍ଭେ ରିପୋର୍ଟ
ଏହି ଅବସରରେ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ‘ଅନାଥ ଶିଶୁ ସର୍ଭେ ରିପୋର୍ଟ-୨୦୨୫’ ଉନ୍ମୋଚନ କରାଯାଇଥିଲା। ଶିଶୁ ସୁରକ୍ଷା ଓ ଯତ୍ନ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଦିଗରେ ଏହି ରିପୋର୍ଟ ସହାୟକ ହେବ ବୋଲି ବିଭାଗ ପକ୍ଷରୁ ଆଶା ପ୍ରକାଶ କରାଯାଇଛି।
କାର୍ଯ୍ୟକ୍ରମ ଆରମ୍ଭରେ ଖୋର୍ଦ୍ଧାର ଅଦୃତା ଶିଶୁ ଗୃହର ପିଲାମାନେ ରାଜ୍ୟ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ ପରିବେଷଣ କରିଥିଲେ। ଉଦ୍ଘାଟନୀ ସମାରୋହରେ ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର ତଥା ସଚିବ ଡ. ମୃଣାଳିନୀ ଦର୍ଶୱାଲ, ନିର୍ଦ୍ଦେଶିକା ମୋନିଷା ବାନାର୍ଜୀଙ୍କ ସମେତ ବିଭାଗର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।




