ଭୁବନେଶ୍ୱର: ମହାନଦୀ ଜଳ ବିବାଦର ସମାଧାନ ନେଇ ଗୁରୁବାର ନୂଆଦିଲ୍ଲୀରେ ଏକ ଉଚ୍ଚସ୍ତରୀୟ ବୈଠକ ବସିବ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ ଯୋଗଦେବେ। ଉଭୟ ରାଜ୍ୟର ବରିଷ୍ଠ ଅଧିକାରୀ ଓ ବୈଷୟିକ ଟିମ୍ ମଧ୍ୟ ଆଲୋଚନାରେ ସାମିଲ ହେବେ।
ବୈଠକରେ ମହାନଦୀ ଜଳର ବଣ୍ଟନ, ଜଳ ପରିଚାଳନା ଏବଂ ଉଭୟ ରାଜ୍ୟ ମଧ୍ୟରେ ଦୀର୍ଘଦିନ ଧରି ରହିଥିବା ମତଭେଦ ନେଇ ଆଲୋଚନା ହେବ। କେନ୍ଦ୍ର ଜଳଶକ୍ତି ମନ୍ତ୍ରଣାଳୟ ଓ ସେଣ୍ଟ୍ରାଲ ୱାଟର କମିସନ୍ (CWC)ର ବୈଷୟିକ ତଥ୍ୟ ମଧ୍ୟ ଆଲୋଚନାରେ ଗୁରୁତ୍ୱ ପାଇପାରେ।
ମହାନଦୀ ଜଳ ବଣ୍ଟନକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ବର୍ଷ ବର୍ଷ ଧରି ବିବାଦ ରହିଛି। ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ରେ ନିର୍ମାଣ ହେଉଥିବା ଜଳ ପ୍ରକଳ୍ପ ଯୋଗୁଁ ଅଣମୌସୁମୀ ସମୟରେ ଓଡ଼ିଶାକୁ ଜଳପ୍ରବାହ ପ୍ରଭାବିତ ହେଉଥିବା ଓଡ଼ିଶା ପକ୍ଷରୁ ଆପତ୍ତି ଉଠାଯାଇଆସିଛି। ଅନ୍ୟପକ୍ଷରେ, ଛତିଶଗଡ଼ ନିଜର ଜଳସମ୍ପଦକୁ କୃଷି, ଶିଳ୍ପ ଓ ଘରୋଇ ଆବଶ୍ୟକତା ପାଇଁ ବ୍ୟବହାର କରିବାର ଅଧିକାର ଉପରେ ଜୋର ଦେଇଆସିଛି।
ଟ୍ରିବ୍ୟୁନାଲରେ ବିଚାରାଧୀନଓଡ଼ିଶାର ଅନୁରୋଧ ପରେ କେନ୍ଦ୍ର ସରକାର ୨୦୧୮ ମାର୍ଚ୍ଚ ୧୨ରେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଗଠନ କରିଥିଲେ। ଦୀର୍ଘ ଆଇନଗତ ପ୍ରକ୍ରିୟା ସତ୍ତ୍ୱେ ବିବାଦର ଚୂଡ଼ାନ୍ତ ସମାଧାନ ହୋଇନାହିଁ। ଚଳିତ ବର୍ଷ ଏପ୍ରିଲରେ ଟ୍ରିବ୍ୟୁନାଲର କାର୍ଯ୍ୟକାଳ ଆହୁରି ୯ ମାସ ବଢ଼ାଇ ୨୦୨୭ ଜାନୁଆରୀ ୧୩ ପର୍ଯ୍ୟନ୍ତ କରାଯାଇଛି।
ଆପୋସ ଆଲୋଚନାରେ ଗୁରୁତ୍ୱବିବାଦର ସମାଧାନ ପାଇଁ ଗତ କିଛି ମାସ ହେଲା ଉଭୟ ରାଜ୍ୟ ଆଲୋଚନା ଓ ବୈଷୟିକ ସହଯୋଗ ଉପରେ ଗୁରୁତ୍ୱ ଦେଉଛନ୍ତି। ଜୁଲାଇ ୩୦ରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସି.ଆର୍. ପାଟିଲଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ବୈଠକ ହୋଇଥିଲା। ଉଭୟ ରାଜ୍ୟର ଯୁଗ୍ମ ବୈଷୟିକ କମିଟି ମଧ୍ୟ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରୁଛି।
ସେପ୍ଟେମ୍ବର ୨୦ରେ ଭୁବନେଶ୍ୱରରେ ମୋହନ ମାଝୀ ଓ ବିଷ୍ଣୁଦେଓ ସାଏଙ୍କ ମଧ୍ୟରେ ମହାନଦୀ ସମେତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ଏହା ପରେ ଉଭୟ ପକ୍ଷରୁ ଆପୋସ ବୁଝାମଣା ମାଧ୍ୟମରେ ବିବାଦର ସମାଧାନ ନେଇ ଆଶା ପ୍ରକାଶ କରାଯାଇଥିଲା।
ଏହି ପରିପ୍ରେକ୍ଷିତରେ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଆଜିର ବୈଠକକୁ ମହାନଦୀ ଜଳ ବିବାଦର ସମାଧାନ ପ୍ରକ୍ରିୟାର ଆଉ ଏକ ପରବର୍ତ୍ତୀ ପଦକ୍ଷେପ ଭାବେ ଦେଖାଯାଉଛି। ତେବେ ବୈଠକରେ କୌଣସି ଚୂଡ଼ାନ୍ତ ଜଳବଣ୍ଟନ ଚୁକ୍ତି ହେବ କି ନାହିଁ, ତାହା ଆଲୋଚନା ପରେ ସ୍ପଷ୍ଟ ହେବ।




