ମାଲକାନଗିରି: ଓଡ଼ିଶା-ଛତିଶଗଡ଼ ସୀମାନ୍ତ ନିକଟରେ ମାଓବାଦୀଙ୍କ ଏକ ବଡ଼ ଡମ୍ପ ଠାବ କରାଯାଇଛି। ଛତିଶଗଡ଼ର ସୁକମା ଜିଲ୍ଲାର ଜଙ୍ଗଲରୁ ଠାବ ହୋଇଥିବା ଏହି ଡମ୍ପରୁ ବିପୁଳ ପରିମାଣର ବନ୍ଧୁକ, ଜୀବନ୍ତ ଗୁଳି, ବୋମା ଓ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି।

ସୁକମା ଜିଲ୍ଲାର ଭେଜ୍ଜି ଥାନା ଅନ୍ତର୍ଗତ ଭଣ୍ଡାରପଦର ଓ ମୁନୁରକୋଣ୍ଡା ଜଙ୍ଗଲ ଅଞ୍ଚଳରେ ଜିଲ୍ଲା ପୁଲିସ, ଡିଆର୍‌ଜି ଏବଂ ବସ୍ତର ଫାଇଟର୍ସର ମିଳିତ ଟିମ୍‌ ପକ୍ଷରୁ ସର୍ଚ୍ଚ ଅପରେସନ୍‌ ଚାଲିଥିଲା। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କଠାରୁ ମିଳିଥିବା ସୂଚନା ଆଧାରରେ ଏହି ଅଭିଯାନ ଆରମ୍ଭ କରାଯାଇଥିଲା।

ମାଟି ତଳୁ ମିଳିଲା ଅସ୍ତ୍ରଶସ୍ତ୍ର

ସର୍ଚ୍ଚ ଅପରେସନ୍‌ ବେଳେ ଜଙ୍ଗଲ ଭିତରେ ମାଟି ତଳେ ଲୁଚାଇ ରଖାଯାଇଥିବା ଡମ୍ପକୁ ସୁରକ୍ଷାକର୍ମୀମାନେ ଠାବ କରିଥିଲେ। ଏଥିରୁ ବିଭିନ୍ନ ପ୍ରକାରର ୨୩ଟି ବନ୍ଧୁକ ଜବତ ହୋଇଛି। ଏଥିରେ ଏସ୍‌ଏଲ୍‌ଆର୍‌, .୩୧୫ ରାଇଫଲ୍‌, .୪୧୦ ମସକେଟ୍‌, ବିଜିଏଲ୍‌ ଲଞ୍ଚର୍‌ ଏବଂ ୧୨ ବୋର୍‌ ରାଇଫଲ୍‌ ଆଦି ରହିଛି।

ଏହା ସହ ଏକେ-୪୭, ଏସ୍‌ଏଲ୍‌ଆର୍‌, .୩୦୩, .୩୧୫ ଓ ୧୨ ବୋର୍‌ ରାଇଫଲ୍‌ର ୪୯୨ ରାଉଣ୍ଡ ଜୀବନ୍ତ ଗୁଳି ମଧ୍ୟ ଜବତ କରାଯାଇଛି।

ବିସ୍ଫୋରକ ସାମଗ୍ରୀ ମଧ୍ୟ ଜବତ

ଡମ୍ପରୁ ୫ଟି ଦେଶୀ ହ୍ୟାଣ୍ଡ ଗ୍ରେନେଡ୍‌, ବହୁ ସଂଖ୍ୟକ ବିଜିଏଲ୍‌ ସେଲ୍‌, ୨୪୦ଟି ଜିଲେଟିନ୍‌ ଷ୍ଟିକ୍‌ ଏବଂ ୧୮ କିଲୋଗ୍ରାମ୍‌ ଗନ୍‌ ପାଉଡର୍‌ ଜବତ ହୋଇଛି। ଏଥିସହ ମାଓବାଦୀଙ୍କ ବ୍ୟବହାରରେ ଆସୁଥିବା ପୋଷାକ, ବ୍ୟାଗ୍‌, ବେଲ୍ଟ, ସୋଲାର୍‌ ପ୍ଲେଟ୍‌ ସମେତ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ସୁରକ୍ଷାକର୍ମୀମାନେ ଜବତ କରିଛନ୍ତି।

ଏହି ବଡ଼ଧରଣର ଡମ୍ପ ଠାବ ପରେ ସୁକମା ଓ ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଅଞ୍ଚଳରେ ସୁରକ୍ଷା ବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନ୍‌କୁ ଆହୁରି ଜୋରଦାର କରାଯାଇଛି।