ମଥୁରାର ଗୋବର୍ଦ୍ଧନ ଅଞ୍ଚଳରୁ ଏକ ଅତ୍ୟନ୍ତ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ଭଣ୍ଡ ସାଧୁ ଆଧ୍ୟାତ୍ମିକତାର ଆଢୁଆଳରେ ଶିକ୍ଷିତ ମହିଳାମାନଙ୍କୁ ଯୌନ ଶୋଷଣ ଓ ବ୍ଲାକମେଲ୍ କରୁଥିବା ଅଭିଯୋଗରେ ଗିରଫ ହୋଇଛି। ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି ଓଡ଼ିଶାର ଅଭିଷେକ ମିଶ୍ର, ଯିଏକି ଆଇଆଇଟି (IIT) ରୁର୍କୀରୁ ମେକାନିକାଲ୍ ଇଞ୍ଜିନିୟରିଂ ପାସ୍ କରିବା ପରେ ଲକ୍ଷାଧିକ ଟଙ୍କାର ଚାକିରି ଛାଡ଼ି ‘ଅଧିକର୍ତ୍ତା ନାରାୟଣ ଦାସ’ ନାମରେ ଏହି ଭଣ୍ଡାମି ଚଳାଇଥିଲେ।
ପୁଲିସ ସୂଚନା ଅନୁଯାୟୀ, ଅଭିଷେକ ଅନଲାଇନ୍ ଆଧ୍ୟାତ୍ମିକ ପ୍ରବଚନ ଏବଂ ଭଜନ-କୀର୍ତ୍ତନ ମାଧ୍ୟମରେ ମଲ୍ଟିନ୍ୟାସନାଲ୍ କମ୍ପାନୀରେ କାମ କରୁଥିବା ଉଚ୍ଚଶିକ୍ଷିତ ଓ ସ୍ୱାବଲମ୍ବୀ ମହିଳାମାନଙ୍କୁ ନିଜ ଜାଲରେ ଫସାଉଥିଲେ।
ଛତିଶଗଡ଼ର ଜଣେ ବି.ଏସସି ନର୍ସିଂ ଛାତ୍ରୀ ନିଜ ଭଉଣୀଙ୍କୁ ଦେଖା କରିବାକୁ ମଥୁରା ଆସିଥିବା ବେଳେ ଏହି ଘଟଣା ସାମ୍ନାକୁ ଆସିଥିଲା। ଅଭିଯୁକ୍ତ ଜଣକ ତାଙ୍କୁ ପ୍ରସାଦ ବାହାନାରେ କ୍ଷୀରରେ ନିଶାଦ୍ରବ୍ୟ ମିଶାଇ ଦେଇଥିଲେ ଏବଂ ସେ ଅଚେତ ହେବା ପରେ ତାଙ୍କ ସହ ଦୁଷ୍କର୍ମ କରିଥିଲେ। ପୀଡ଼ିତାଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ସିକ୍ରେଟ୍ କ୍ୟାମେରାରେ ରେକର୍ଡ କରି ପରେ ତାଙ୍କୁ ୫ ଲକ୍ଷ ଟଙ୍କା ମାଗି ବ୍ଲାକମେଲ୍ କରାଯାଇଥିଲା। ଟଙ୍କା ନଦେଲେ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ କରିବାକୁ ଧମକ ଦିଆଯାଇଥିଲା।

ପୀଡ଼ିତାଙ୍କ ପରିବାର ପକ୍ଷରୁ ମଥୁରା ଏସଏସପିଙ୍କ ନିକଟରେ ଅଭିଯୋଗ ହେବା ପରେ ଗୋବର୍ଦ୍ଧନ ଥାନା ପୁଲିସ ତଦନ୍ତ ଆରମ୍ଭ କରିଥିଲା।ପୁଲିସ ରାଧାକୁଣ୍ଡ ସ୍ଥିତ ଆଶ୍ରମ ଉପରେ ଚଢ଼ାଉ କରି ଅଭିଷେକ ମିଶ୍ରଙ୍କୁ ଗିରଫ କରିବା ସହ ସେଠାରୁ ଦୁଇଜଣ ଯୁବତୀ ଓ ଜଣେ ନାବାଳକଙ୍କୁ ଉଦ୍ଧାର କରିଛି। ସେମାନଙ୍କୁ କାଉନସେଲିଂ ଓ ଚିକିତ୍ସା ପାଇଁ ନିଶାନିବାରଣ କେନ୍ଦ୍ରକୁ ପଠାଯାଇଛି।
ତଦନ୍ତରୁ ଜଣାପଡ଼ିଛି ଯେ ବ୍ଲାକମେଲିଂ ଟଙ୍କାରେ ଅଭିଷେକ ସେଠାରେ ଜମି କିଣି ଏକ ‘ଆଶ୍ରମ’ ପ୍ରତିଷ୍ଠା କରିଥିଲେ। କେବଳ ସେତିକି ନୁହେଁ, ସେ ଶିକ୍ଷିତ ଯୁବକ-ଯୁବତୀଙ୍କ ମଧ୍ୟରେ କପଟପୂର୍ଣ୍ଣ ‘ଗାନ୍ଧର୍ବ ବିବାହ’ କରାଇ ପରେ ମହିଳାମାନଙ୍କୁ ମାନସିକ ସ୍ତରରେ ନିଜ ବଶକୁ ଆଣି ଶାରୀରିକ ଶୋଷଣ କରୁଥିଲେ। ପୁଲିସ ତାଙ୍କ ମୋବାଇଲ୍ରୁ ଅନେକ ଆପତ୍ତିଜନକ ଫଟୋ ଓ ଭିଡିଓ ଜବତ କରିଛି ଏବଂ ଏହି ରାକେଟ୍ରେ ଅନ୍ୟ କେଉଁମାନେ ସାମିଲ ଅଛନ୍ତି ସେ ନେଇ ଅଧିକ ପଚରାଉଚରା ଚଳାଇଛି।




