ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକ ଅନ୍ତର୍ଗତ ଜୁଡ଼ିଆ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଆଶ୍ରମ ସ୍କୁଲ ଛାତ୍ରୀଙ୍କୁ ନେଇଯାଉଥିବା ଏକ ଅଟୋ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଘଟଣାରେ ସ୍କୁଲର ମେଟ୍ରନ ସଞ୍ଜୁବାଳା ଗିରିଙ୍କ ସମେତ ୧୫ ଜଣ ଛାତ୍ରୀ ଆହତ ହୋଇଛନ୍ତି। ସମସ୍ତଙ୍କୁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁଯାୟୀ, ଆଶ୍ରମ ସ୍କୁଲର ପ୍ରାୟ ୧୫ ଜଣ ଛାତ୍ରୀ ଅସୁସ୍ଥ ହୋଇପଡ଼ିବାରୁ ସେମାନଙ୍କୁ ଚିକିତ୍ସା ପାଇଁ ଏକ ଅଟୋ ଯୋଗେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା। ଚିକିତ୍ସା ପରେ ସ୍କୁଲକୁ ଫେରୁଥିବା ସମୟରେ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ହାତିବାରି ଜଙ୍ଗଲ ନିକଟ ହାଣ୍ଡିଆଭାଟି ଅଞ୍ଚଳରେ ଅଟୋଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।
ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ଆହତମାନଙ୍କୁ ଏକ ବଲେରୋ ଯୋଗେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲେ। ଖବର ପାଇ ସ୍ଥାନୀୟ ସ୍ୱେଚ୍ଛାସେବୀ, ସ୍କୁଲର ଏସ୍ଏମ୍ସି ଅଧ୍ୟକ୍ଷ, ଶିକ୍ଷକ-ଶିକ୍ଷୟିତ୍ରୀ ଏବଂ ଅନ୍ୟାନ୍ୟ ପ୍ରତିନିଧି ଡାକ୍ତରଖାନାରେ ପହଞ୍ଚି ଚିକିତ୍ସା ବ୍ୟବସ୍ଥାର ତଦାରଖ କରିଥିଲେ।
ଏହି ଘଟଣା ପରେ ଅଟୋରେ ଅତ୍ୟଧିକ ଯାତ୍ରୀ ପରିବହନକୁ ନେଇ ପ୍ରଶ୍ନ ଉଠିଛି। ସ୍ଥାନୀୟ ଲୋକ ଓ କିଛି ଅଭିଭାବକଙ୍କ ଅଭିଯୋଗ ହେଉଛି, କ୍ଷମତାଠାରୁ ଅଧିକ ଯାତ୍ରୀଙ୍କୁ ଅଟୋରେ ବସାଇ ନିଆଯାଉଥିଲା, ଯାହା ଏହି ଦୁର୍ଘଟଣାର ଏକ କାରଣ ହୋଇପାରେ। ସେମାନେ ଏହି ଘଟଣାର ନିରପେକ୍ଷ ତଦନ୍ତ ସହ ଦାୟୀ ବ୍ୟକ୍ତିଙ୍କ ବିରୋଧରେ ଉଚିତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ତେବେ ଅଟୋରେ ଅତ୍ୟଧିକ ଯାତ୍ରୀ ପରିବହନ ହୋଇଥିଲା କି ନାହିଁ ଏବଂ ଏହି ଦୁର୍ଘଟଣା ପଛରେ ପ୍ରକୃତ କାରଣ କ’ଣ, ସେନେଇ ପ୍ରଶାସନ ପକ୍ଷରୁ ତଦନ୍ତ ଜାରି ରହିଛି।




