ଭୁବନେଶ୍ୱର: ନିର୍ବାଚନ ଆୟୋଗଙ୍କ ଦ୍ୱାରା ଦେଶବ୍ୟାପୀ ଚାଲିଥିବା ସ୍ୱତନ୍ତ୍ର ନିବିଡ଼ ଭୋଟର ତାଲିକା ସଂଶୋଧନ (SIR) ପ୍ରକ୍ରିୟାକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୃଢ଼ ସମର୍ଥନ ଜଣାଇଛନ୍ତି। ଦେଶର ନିର୍ବାଚନ ବ୍ୟବସ୍ଥାର ସ୍ୱଚ୍ଛତା ଓ ଗଣତନ୍ତ୍ର ପ୍ରତି ଜନସାଧାରଣଙ୍କ ବିଶ୍ୱାସକୁ ସୁଦୃଢ଼ କରିବା ପାଇଁ ଏହା ଏକ ଅତ୍ୟନ୍ତ ଆବଶ୍ୟକୀୟ ଏବଂ ସକାରାତ୍ମକ ପଦକ୍ଷେପ ବୋଲି ସେ ଅଭିହିତ କରିଛନ୍ତି।
ସୋସିଆଲ ମିଡିଆ ଏକ୍ସ (X) ରେ ଏକ ବାର୍ତ୍ତା ପୋଷ୍ଟ କରି ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି ଯେ, ମୁକ୍ତ ଓ ନିରପେକ୍ଷ ନିର୍ବାଚନ ଏବଂ ପ୍ରତ୍ୟେକ ଯୋଗ୍ୟ ନାଗରିକଙ୍କ ମତାଧିକାରର ସୁରକ୍ଷା ଉପରେ ହିଁ ଗଣତନ୍ତ୍ରର ବିଶ୍ୱସନୀୟତା ଆଧାରିତ। ଏହି ବିଶ୍ୱାସଜନକ ସ୍ଥିତି ବଜାୟ ରଖିବା ପାଇଁ ଏକ ସ୍ୱଚ୍ଛ ଓ ନିର୍ଭୁଲ ଭୋଟର ତାଲିକା ହେଉଛି ମୂଳଦୁଆ।
ମୁଖ୍ୟମନ୍ତ୍ରୀଙ୍କ କହିବା ଅନୁଯାୟୀ, ଭୋଟର ତାଲିକାରେ ଦୋହରା ନାମ, ପୁରୁଣା ତଥ୍ୟ ଏବଂ ମୃତ ବ୍ୟକ୍ତିଙ୍କ ନାମ ରହିବା ଦ୍ୱାରା ତାଲିକାର ସଠିକତା ପ୍ରଭାବିତ ହୋଇଥାଏ। ତେଣୁ ଏକ ନିର୍ଭରଯୋଗ୍ୟ ଭୋଟର ତାଲିକା ପ୍ରସ୍ତୁତ କରିବା କେବଳ କୌଣସି ପ୍ରଶାସନିକ କାର୍ଯ୍ୟ ନୁହେଁ, ବରଂ ନିର୍ବାଚନୀ ନିରପେକ୍ଷତା ଏବଂ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ସୁରକ୍ଷିତ ରଖିବା ପାଇଁ ଅତ୍ୟନ୍ତ ଜରୁରୀ।
ଏହି ସଂଶୋଧନ ପ୍ରକ୍ରିୟା ମାଧ୍ୟମରେ ତ୍ରୁଟିପୂର୍ଣ୍ଣ ତଥ୍ୟକୁ ସୁଧାରିବା, ଦୋହରା ନାମ ବାସନ୍ଦ କରିବା, ବାସସ୍ଥାନ ପରିବର୍ତ୍ତନ କିମ୍ବା ମୃତ୍ୟୁ ପରେ ସଠିକ୍ ସୂଚନା ଅପଡେଟ୍ କରିବା ଏବଂ କୌଣସି ଯୋଗ୍ୟ ଭୋଟର ଯେପରି ବାଦ୍ ନପଡ଼ନ୍ତି ତାହା ସୁନିଶ୍ଚିତ କରାଯାଉଛି। ଏଥିସହିତ କୌଣସି ବୈଧ ଭୋଟରଙ୍କ ନାମ ଯେପରି ଅନ୍ୟାୟଭାବେ କଟା ନଯାଏ, ସେଥିପ୍ରତି ମଧ୍ୟ ଧ୍ୟାନ ଦିଆଯାଉଛି।
ସମଗ୍ର ଦେଶରେ ନିର୍ବାଚନ ଆୟୋଗଙ୍କ ଏହି ନିବିଡ଼ ସଂଶୋଧନ ପ୍ରକ୍ରିୟାକୁ ନେଇ ରାଜନୈତିକ ଚର୍ଚ୍ଚା ଲାଗି ରହିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଏହି ବକ୍ତବ୍ୟ ବେଶ୍ ଗୁରୁତ୍ୱପୂର୍ଣ୍ଣ। ସୂଚନାଯୋଗ୍ୟ, ଏହି SIR ପ୍ରକ୍ରିୟା ପରେ ଓଡ଼ିଶାରେ ପ୍ରକାଶିତ ଚୂଡ଼ାନ୍ତ ଭୋଟର ତାଲିକା ଅନୁଯାୟୀ ମୋଟ ଭୋଟରଙ୍କ ସଂଖ୍ୟା ପ୍ରାୟ ୩.୧୬ କୋଟିରେ ପହଞ୍ଚିଛି। ନିରପେକ୍ଷତା ଓ ସଚ୍ଚୋଟତାର ସହ ଏହି ପ୍ରକ୍ରିୟାର କାର୍ଯ୍ୟକାରିତା ଗଣତନ୍ତ୍ରକୁ ଆହୁରି ସୁଦୃଢ଼ କରିବ ବୋଲି ସେ ପ୍ରକାଶ କରିଛନ୍ତି।




