ଭୁବନେଶ୍ୱର: କେନ୍ଦ୍ର ସରକାର ଆଣିଥିବା ଏମଏମଡିଆର ସଂଶୋଧନ ବିଲ୍ ଆଇନଗତ ପ୍ରକ୍ରିୟାରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ରଦ୍ଦ ହୋଇଯିବ ବୋଲି ଓଡ଼ିଶାର ପୂର୍ବତନ ଆଇନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ଦାବି କରିଛନ୍ତି। ସୋମବାର କଂଗ୍ରେସ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ସେ କହିଛନ୍ତି ଯେ, ଏହି ବିଲ୍କୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଆବେଦନ କରାଯାଇଛି ଏବଂ ସର୍ବୋଚ୍ଚ ଅଦାଲତ ଏହାକୁ ଗ୍ରହଣ କରିଛନ୍ତି।
ମିଶ୍ର କହିଛନ୍ତି ଯେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସମୟରେ ‘ଓଡ଼ିଶା ସେସ୍ ଆକ୍ଟ’ କାର୍ଯ୍ୟକାରୀ ହୋଇଥିଲା, ମାତ୍ର ରାଜ୍ୟର ଏଭଳି କର ଲଗାଇବାର ଅଧିକାର ନଥିବା ଦର୍ଶାଇ ସୁପ୍ରିମକୋର୍ଟ ଏହାକୁ ରଦ୍ଦ କରିଦେଇଥିଲେ।
“ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ସମୟରେ ମୁଁ ଆଇନ ମନ୍ତ୍ରୀ ଥିଲି। ସେତେବେଳେ ଖଣିଜ ସମ୍ପଦ ବହନ କରୁଥିବା ଜମି ଉପରେ କର ଆଦାୟ ପାଇଁ ଆଇନ ଚିଠା ପ୍ରସ୍ତୁତ କରିବାକୁ ମୋତେ କୁହାଯାଇଥିଲା। ଏହା ଖଣିଜ ସମ୍ପଦ ଉପରେ ନୁହେଁ, ବରଂ ଖଣିଜ ପଦାର୍ଥ ଥିବା ଜମି ଉପରେ କର ହିସାବରେ ନିର୍ଦ୍ଧାରିତ ହୋଇଥିଲା,” ବୋଲି ସେ ଦୋହରାଇଛନ୍ତି।
ସେ ଆହୁରି କହିଛନ୍ତି ଯେ, ସେତେବେଳେ ଆଇନଗତ ଲଢ଼େଇରେ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ମାମଲା ହାରିଥିଲେ। ମାତ୍ର ୨୦୦୪ ଜାନୁଆରୀ ୧୫ରେ ସୁପ୍ରିମକୋର୍ଟ ସ୍ପଷ୍ଟ କରିଥିଲେ ଯେ ଜମି ଉପରେ ରାଜ୍ୟ ସରକାରଙ୍କ ଅଧିକାର ରହିଛି। ଏହି ଆଇନ କାର୍ଯ୍ୟକାରୀ ହୋଇଥିଲେ ରାଜ୍ୟକୁ ବାର୍ଷିକ ପ୍ରାୟ ୧୨,୦୦୦ କୋଟି ଟଙ୍କାର ରାଜସ୍ୱ ମିଳିଥାନ୍ତା।
ନରସିଂହ ମିଶ୍ର କହିଛନ୍ତି ଯେ ସୁପ୍ରିମକୋର୍ଟଙ୍କ ନିକଟତମ ରାୟ ଅନୁଯାୟୀ ରାଜ୍ୟ ସରକାର ଖଣିଜ ଜମି ଉପରେ କର ଲଗାଇପାରିବେ ଏବଂ ବକେୟା ଅର୍ଥ ପୂର୍ବ ତାରିଖରୁ ପରିଶୋଧ କରିବାକୁ ପଡ଼ିବ। କେନ୍ଦ୍ର ସରକାର ଏକାଥରକେ ଏହି ଅର୍ଥ ଦେଲେ ଆର୍ଥିକ ବୋଝ ପଡ଼ିବ ଦର୍ଶାଇ କିସ୍ତିରେ ପରିଶୋଧ ପାଇଁ କୋର୍ଟଙ୍କୁ ଅନୁରୋଧ କରିଛନ୍ତି।
ଟାଟା ଷ୍ଟିଲର ଏକ ଆକଳନକୁ ଆଧାର କରି ସେ ଦାବି କରିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ଅଧୀନସ୍ଥ ସଂସ୍ଥାଗୁଡ଼ିକ ନିକଟରୁ ଓଡ଼ିଶା ସରକାରଙ୍କର ପ୍ରାୟ ୧୭,୦୦୦ କୋଟି ଟଙ୍କା ପାଉଣା ବାକି ଅଛି। ମାତ୍ର ରାଜ୍ୟ ସରକାର ଦାବି ନକରିବା ଏବଂ କେନ୍ଦ୍ର ସରକାର ନଦେବା ଫଳରେ ଓଡ଼ିଶା ବିରାଟ ଆର୍ଥିକ କ୍ଷତି ସହିଛି।
ସେହିପରି, ପିସିସି ସଭାପତି ଭକ୍ତ ଚରଣ ଦାସ ବରିଷ୍ଠ ବିଜେପି ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସମାଲୋଚନା କରିଛନ୍ତି। ଗତ ୧୨ ବର୍ଷ ମଧ୍ୟରେ କେତେ ନିୟୁତ ଟନ୍ କୋଇଲା ଓ ଲୁହାପଥର ଗାଏବ ହୋଇ ବିଜେପି ପାଖକୁ ଯାଇଛି ବୋଲି ସେ ପ୍ରଶ୍ନ କରିବା ସହ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପିକୁ ଜବାବ ଦେବାକୁ ଆହ୍ୱାନ ଦେଇଛନ୍ତି।




