ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆଜିଠାରୁ ବହୁପ୍ରତୀକ୍ଷିତ ‘ଜାତୀୟ ହୋମିଓପାଥି ବୈଜ୍ଞାନିକ ସମ୍ମିଳନୀ-୨୦୨୬’ ଆରମ୍ଭ ହୋଇଛି। ସ୍ଥାନୀୟ ଡକ୍ଟର ଅଭିନ ଚନ୍ଦ୍ର ହୋମିଓପାଥିକ ମେଡିକାଲ କଲେଜ ଓ ହସ୍ପିଟାଲ ପରିସରରେ ଆୟୋଜିତ ଏହି ଭବ୍ୟ ଜାତୀୟ ସ୍ତରୀୟ ସମ୍ମିଳନୀରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୋଭା ବଢ଼ାଇଛନ୍ତି। ଆଗାମୀ ତିନି ଦିନ ଧରି ଚାଲିବାକୁ ଥିବା ଏହି ବୈଜ୍ଞାନିକ ସମ୍ମିଳନୀରେ ଦେଶର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୭୦୦ରୁ ଅଧିକ ପ୍ରତିନିଧି, ଗବେଷକ, ବିଶେଷଜ୍ଞ ଡାକ୍ତର ଏବଂ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଛନ୍ତି।

ରାଜ୍ୟପାଳଙ୍କ ଦ୍ୱାରା ସ୍ମରଣିକା ‘AUDE SAPERE’ ଉନ୍ମୋଚନ:

ଏହି ଗୁରୁତ୍ୱପୂର୍ଣ୍ଣ ଅବସରରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ବ୍ରଜମୋହନ ରାମ ସମ୍ମିଳନୀର ବିଶେଷ ସ୍ମରଣିକା ‘ଅଡେ ସାପେରେ’ (AUDE SAPERE) ଉନ୍ମୋଚନ କରିବାର କାର୍ଯ୍ୟକ୍ରମ ରହିଛି। ଉନ୍ମୋଚନ ପରେ ଏହି ସ୍ମରଣିକାର ପ୍ରଥମ କପି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପ୍ରଦାନ କରାଯିବ। ହୋମିଓପାଥି ଚିକିତ୍ସା ବିଜ୍ଞାନର ନୂତନ ଗବେଷଣା, ସଫଳତା ଏବଂ ଆଧୁନିକ ଚିକିତ୍ସା ପଦ୍ଧତି ସମ୍ପର୍କିତ ତଥ୍ୟ ଏହି ସ୍ମରଣିକାରେ ସ୍ଥାନ ପାଇଛି।

ତିନିଦିନିଆ ଏହି ସମ୍ମିଳନୀରେ ଜାତୀୟ ହୋମିଓପାଥି ଆୟୋଗର ଅଧ୍ୟକ୍ଷ ଡାକ୍ତର ତାରକେଶ୍ୱର ଜୈନ ଏବଂ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ହୋମିଓପାଥି ବିଶେଷଜ୍ଞ ଡାକ୍ତର ଫାରୁକ ଜେ. ମାଷ୍ଟର ଯୋଗଦେଇଛନ୍ତି। ସେମାନେ ହୋମିଓପାଥି ଚିକିତ୍ସା କ୍ଷେତ୍ରରେ ହେଉଥିବା ନୂତନ ବୈଜ୍ଞାନିକ ଅଗ୍ରଗତି, ଜଟିଳ ରୋଗର ନିରାକରଣ, ପ୍ରମାଣ-ଆଧାରିତ ଗବେଷଣା ଏବଂ ଜନସ୍ୱାସ୍ଥ୍ୟ କ୍ଷେତ୍ରରେ ହୋମିଓପାଥିର ଭୂମିକା ଭଳି ବିଭିନ୍ନ ବୈଜ୍ଞାନିକ ବିଷୟ ଉପରେ ଗଭୀର ଆଲୋଚନା କରିବେ।

ଡକ୍ଟର ଅଭିନ ଚନ୍ଦ୍ର ହୋମିଓପାଥିକ ମେଡିକାଲ କଲେଜ ଓ ହସ୍ପିଟାଲ ପରିସରରେ ଆୟୋଜିତ ଏହି ସମ୍ମିଳନୀ ରାଜ୍ୟ ତଥା ଦେଶର ହୋମିଓପାଥି ଶିକ୍ଷା ଓ ଚିକିତ୍ସା କ୍ଷେତ୍ରରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି। ବିଭିନ୍ନ ରାଜ୍ୟରୁ ଆସିଥିବା ଡାକ୍ତର ଓ ଗବେଷକମାନେ ସେମାନଙ୍କର ଗବେଷଣା ପତ୍ର ଉପସ୍ଥାପନ କରିବା ସହ ଚିକିତ୍ସା ପଦ୍ଧତିର ଆଧୁନିକୀକରଣ ନେଇ ମତ ବିନିମୟ କରିବେ।