ଭୁବନେଶ୍ୱର: ନିଜର ଏବଂ ପୂର୍ବତନ ଆଇଏଏସ୍ ଅଧିକାରୀ ଭି.କେ. ପାଣ୍ଡିଆନଙ୍କ ବିଦେଶ ଗସ୍ତକୁ ନେଇ ରାଜ୍ୟ ସରକାରଙ୍କ ତଦନ୍ତ ନିର୍ଦ୍ଦେଶ ଉପରେ ଶେଷରେ ନୀରବତା ଭାଙ୍ଗିଛନ୍ତି ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ପ୍ରସଙ୍ଗରେ ଅଣାଯାଇଥିବା ସମସ୍ତ ଅଭିଯୋଗକୁ ସମ୍ପୂର୍ଣ୍ଣ ମିଥ୍ୟା ବୋଲି ଦର୍ଶାଇ ସେ ଏହାକୁ ଦୃଢ଼ ଭାବେ ଖଣ୍ଡନ କରିଛନ୍ତି।
ସୋମବାର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ନବୀନ ପଟ୍ଟନାୟକ କହିଛନ୍ତି ଯେ, ସେ କେବଳ ସୀମିତ ସମୟ ପାଇଁ ଏବଂ କେବଳ ଓଡ଼ିଶାର ସ୍ୱାର୍ଥ ତଥା ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକର ସମାଧାନ ପାଇଁ ହିଁ ବିଦେଶ ଗସ୍ତ କରିଥିଲେ। ତାଙ୍କ ଏବଂ ତାଙ୍କ ଅଧିକାରୀମାନଙ୍କ ବିଦେଶ ଗସ୍ତକୁ ନେଇ କିଛି ମିଥ୍ୟା ଅଭିଯୋଗ ଅଣାଯାଉଛି ଏବଂ ଉପଯୁକ୍ତ ସମୟରେ ଏହାର ସଠିକ୍ ଜବାବ ଦିଆଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି।
ସୂଚନାଯୋଗ୍ୟ ଯେ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ତାଙ୍କ ଘନିଷ୍ଠ ସହଯୋଗୀ ତଥା ପୂର୍ବତନ ଆଇଏଏସ୍ ଅଧିକାରୀ ଭି.କେ. ପାଣ୍ଡିଆନ ଏବଂ ଅନ୍ୟ ଜଣେ ଆଇପିଏସ୍ ଅଧିକାରୀଙ୍କ ବିଦେଶ ଗସ୍ତର ତଦନ୍ତ ନିର୍ଦ୍ଦେଶକୁ ନେଇ ଶାସକ ବିଜେପି ଏବଂ ବିରୋଧୀ ବିଜେଡି ମଧ୍ୟରେ ରାଜ୍ୟ ରାଜନୀତିରେ ତୀବ୍ର ବୟାନବାଜି ଆରମ୍ଭ ହୋଇଛି।
ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୨-୨୩ ଏବଂ ୨୦୨୩-୨୪ ଆର୍ଥିକ ବର୍ଷ ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ଭି.କେ. ପାଣ୍ଡିଆନ ଏବଂ ଆଇପିଏସ୍ ଅଧିକାରୀ ରବି କାନ୍ତଙ୍କ ବିଦେଶ ଗସ୍ତର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ପ୍ରମୁଖ ଶାସନ ସଚିବ ଏହି ମାମଲାର ତଦନ୍ତ କରିବେ ବୋଲି ନିଷ୍ପତ୍ତି ହୋଇଛି।
ଅନ୍ୟପକ୍ଷରେ, ବିଭିନ୍ନ ସାମାଜିକ କର୍ମୀଙ୍କ ଅଭିଯୋଗ ଅନୁଯାୟୀ, ୨୦୨୨-୨୩ ଏବଂ ୨୦୨୩-୨୪ ମଧ୍ୟରେ ନବୀନ ପଟ୍ଟନାୟକ, ଭି.କେ. ପାଣ୍ଡିଆନ ଏବଂ ଆଇପିଏସ୍ ରବି କାନ୍ତ ଏକାଧିକ ବିଦେଶ ଗସ୍ତ କରିଥିଲେ। ସୂଚନା ଅଧିକାର ଆଇନ (RTI) ମାଧ୍ୟମରେ ମିଳିଥିବା ତଥ୍ୟକୁ ଆଧାର କରି ସାମାଜିକ କର୍ମୀମାନେ ଦାବି କରିଛନ୍ତି ଯେ, ସେମାନଙ୍କ ଜାପାନ ଏବଂ ଇଟାଲୀ ଗସ୍ତର ଖର୍ଚ୍ଚ ବିବରଣୀ ସନ୍ଦେହଜନକ, ଅସ୍ପଷ୍ଟ ଏବଂ ଅସମ୍ପୂର୍ଣ୍ଣ ରହିଛି।
ତେବେ ବିଜେଡି ଏହି ସମସ୍ତ ଅଭିଯୋଗକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ କହି ଖଣ୍ଡନ କରିଥିବା ବେଳେ, ସରକାରୀ ଅର୍ଥ ଖର୍ଚ୍ଚରେ ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱ ସୁନିଶ୍ଚିତ କରିବା ପାଇଁ ଏହି ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ବୋଲି ବିଜେପି ପକ୍ଷରୁ ଯୁକ୍ତି ବାଢ଼ାଯାଇଛି।




