ଭୁବନେଶ୍ୱର: ବିଜୁ ଜନତା ଦଳ ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶୁକ୍ରବାର ନିର୍ବାଚନ କମିଶନଙ୍କ କାର୍ଯ୍ୟଶୈଳୀକୁ ନେଇ ଗମ୍ଭୀର ପ୍ରଶ୍ନ ଉଠାଇଛନ୍ତି। ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ତୁରନ୍ତ ଇସ୍ତଫା ଦାବି କରିବା ସହ ଭୋଟର ତାଲିକାର ବିଶେଷ ଗହନ ସଂଶୋଧନ ପ୍ରକ୍ରିୟାର ପୁନର୍ବିଚାର ପାଇଁ ସେ ଦାବି କରିଛନ୍ତି।
ବିଧାନସଭା ବାହାରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ନବୀନ ପଟ୍ଟନାୟକ କହିଛନ୍ତି ଯେ, ନିର୍ବାଚନ କମିଶନଙ୍କ ସଦସ୍ୟଙ୍କ ମଧ୍ୟରେ ତୀବ୍ର ମତଭେଦ ରହିଛି। ନିର୍ବାଚନ କମିଶନର ସୁଖବୀର ସିଂହ ସନ୍ଧୁ ଏବଂ ବିବେକ ଯୋଶୀ ଗତ ୧୦ ମାସ ମଧ୍ୟରେ କମିଶନଙ୍କ ଅନେକ ନିଷ୍ପତ୍ତି ଓ ଆଦେଶ ଉପରେ ଅତିକମରେ ୧୪ ଥର ଆପତ୍ତି ଉଠାଇଛନ୍ତି। ତାଙ୍କ ଅଜାଣତରେ ଅନେକ ନିଷ୍ପତ୍ତି ନିଆଯାଇଥିବା ସେମାନେ ଅଭିଯୋଗ କରିଛନ୍ତି। ଏହି ପରିସ୍ଥିତିରେ ମୁଖ୍ୟ ନିର୍ବାଚନ କମିଶନର ତୁରନ୍ତ ଇସ୍ତଫା ଦେବା ଉଚିତ୍।
ନବୀନ ଆହୁରି କହିଛନ୍ତି ଯେ, ବିଜେଡି ଆରମ୍ଭରୁ ଏହି SIR ପ୍ରକ୍ରିୟା ବିରୋଧରେ ରହିଛି ଏବଂ ଏହାକୁ ଦୃଢ଼ଭାବେ ବିରୋଧ କରାଯିବ। ଦେଶର ୩୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଚାଲିଥିବା ଏହି ପ୍ରକ୍ରିୟାରେ ୧୩ କୋଟିରୁ ଅଧିକ ଭୋଟରଙ୍କ ନାମ ବାଦ୍ ପଡ଼ିବା ଚିନ୍ତାର ବିଷୟ।
ଏହା ସହିତ MMDR ଆକ୍ଟକୁ ନେଇ ବିଜେପିକୁ ସମାଲୋଚନା କରି ନବୀନ କହିଛନ୍ତି:
- ସଂସଦରେ ଓଡ଼ିଶାର ୨୦ ଜଣ ବିଜେପି ସାଂସଦ ଏହି ବିଲ୍କୁ ସମର୍ଥନ କରିଥିଲେ।
- ଏହି ଆଇନ ଯୋଗୁଁ ଓଡ଼ିଶା ବହୁତ ବଡ଼ ରାଜସ୍ୱ ହରାଇବାର ସମ୍ଭାବନା ରହିଛି।
ସରକାର ଏହି ପ୍ରକ୍ରିୟାକୁ ରୋକି ପୁନଃ ସମୀକ୍ଷା କରନ୍ତୁ ବୋଲି ବିଜେଡି ଦାବି କରିବ ବୋଲି ସେ ପ୍ରକାଶ କରିଛନ୍ତି।




