ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାରେ ହୋଇଥିବା ସାମ୍ପ୍ରତିକ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଲୋକଙ୍କ ପାଇଁ ତୁରନ୍ତ ରିଲିଫ୍, ପୁନର୍ବାସ ଏବଂ ପୁନର୍ନିର୍ମାଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିରୋଧୀ ଦଳ ନେତା ତଥା ବିଜୁ ଜନତା ଦଳ (ବିଜେଡି) ସଭାପତି ନବୀନ ପଟ୍ଟନାୟକ ଦାବି କରିଛନ୍ତି। ଏହାସହ ବନ୍ୟା ପରିଚାଳନାରେ ରାଜ୍ୟ ସରକାରଙ୍କ ଅବହେଳା ଓ ତ୍ରୁଟି ପାଇଁ ଦାୟିତ୍ୱ ନିର୍ଦ୍ଧାରଣ କରିବାକୁ ସେ ଆହ୍ୱାନ ଦେଇଛନ୍ତି।
ନଭେମ୍ବର ୧୦ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଲେଖିଥିବା ଏକ ଚିଠିରେ ନବୀନ ଗତ ନଭେମ୍ବର ୭ ରେ ନିଜ ଗଞ୍ଜାମ ଗସ୍ତ ସମୟର ଅନୁଭୂତି ବର୍ଣ୍ଣନା କରିଛନ୍ତି। ହିଞ୍ଜିଳି, ଶେରଗଡ଼, ଆସିକା ଏବଂ ସୋରଡ଼ା ଅଞ୍ଚଳ ଗସ୍ତ କରି ସେ ଚାଷୀ, ମହିଳା, କ୍ଷୁଦ୍ର ବ୍ୟବସାୟୀ ଓ ପ୍ରଭାବିତ ଲୋକଙ୍କ ସହ ଆଲୋଚନା କରିଥିଲେ। ବନ୍ୟା ଯୋଗୁଁ ଭିତ୍ତିଭୂମି, ଫସଲ, ଜୀବିକା ଏବଂ ବ୍ୟକ୍ତିଗତ ସମ୍ପତ୍ତିର ବ୍ୟାପକ କ୍ଷତି ହୋଇଥିବା ସେ ଦର୍ଶାଇଛନ୍ତି।

ଅକ୍ଟୋବର ୨୩ ରେ ଭାରତୀୟ ପାଣିପାଗ ବିଭାଗ ର ପୂର୍ବାନୁମାନ ସତ୍ତ୍ୱେ ସରକାରୀ ପ୍ରସ୍ତୁତି ନଥିବା ନେଇ ନବୀନ ପ୍ରଶ୍ନ ଉଠାଇଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ପ୍ରବଳ ବର୍ଷା ପୂର୍ବରୁ ଜଳସମ୍ପଦ ବିଭାଗ ଜଳଭଣ୍ଡାରଗୁଡ଼ିକରୁ ପର୍ଯ୍ୟାପ୍ତ ଜଳ ନିଷ୍କାସନ ନକରି, ବାତ୍ୟାଜନିତ ବର୍ଷା ଆରମ୍ଭ ହେବା ପରେ ଏକାସଙ୍ଗରେ ଡ୍ୟାମ୍ ଗେଟ୍ ଖୋଲିଥିଲା। ଡ୍ୟାମ୍ ଗେଟ୍ ଖୋଲିବା ପୂର୍ବରୁ ସ୍ଥାନୀୟ ଲୋକଙ୍କୁ କୌଣସି ସୂଚନା ଦିଆଯାଇନଥିବାରୁ ଏହା ଏକ ‘ମନୁଷ୍ୟକୃତ ବିପତ୍ତି’ ର ରୂପ ନେଇଛି ବୋଲି ସେ କହିଛନ୍ତି।

ପୂର୍ବତନ ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି ଯେ, ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ବିଳମ୍ବ ହେତୁ ବହୁ ଲୋକ ଖାଦ୍ୟ ଓ ପାନୀୟ ଜଳ ବିନା ଦିନ ଦିନ ଧରି ଫସି ରହିଥିଲେ। ପୂର୍ବ ବିଜେଡି ସରକାର ଅମଳରେ ସରପଞ୍ଚ, ତୃଣମୂଳ ପ୍ରତିନିଧି ଏବଂ ମିଶନ ଶକ୍ତି ଗ୍ରୁପ୍କୁ ନେଇ ଗଢ଼ାଯାଇଥିବା ସମୁଦାୟ-ଆଧାରିତ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ବର୍ତ୍ତମାନର ବିଜେପି ସରକାର ଅବହେଳା କରିଥିବାରୁ ସ୍ଥିତି ଅଧିକ ସଂକଟଜନକ ହୋଇଛି।
କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ପରେ ଗଞ୍ଜାମରେ ପୁନରାବୃତ୍ତି ହୋଇଥିବା ଏହି ଅବହେଳାର ସମ୍ପୂର୍ଣ୍ଣ ଦାୟିତ୍ୱ ସରକାର ନିଅନ୍ତୁ। କ୍ଷତିଗ୍ରସ୍ତଙ୍କୁ ଯଥାଶୀଘ୍ର ବିନା ଭେଦଭାବରେ ସହାୟତା ଓ ପୁନର୍ବାସ ଯୋଗାଇ ନଦେଲେ ବିଜେଡି ଗାଁରୁ ଦିଲ୍ଲୀ ପର୍ଯ୍ୟନ୍ତ ସ୍ୱର ଉଠାଇବ ବୋଲି ନବୀନ ଚେତାବନୀ ଦେଇଛନ୍ତି।




