ଭୁବନେଶ୍ୱର: କେନ୍ଦୁଝର ଜିଲ୍ଲାରୁ ସାମ୍ନାକୁ ଆସିଥିବା ଏକ ଅମାନବୀୟ ଘଟଣା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ଜଣେ ଆଦିବାସୀ ବ୍ୟକ୍ତିଙ୍କୁ ନିଜ ମୃତ ଭଉଣୀଙ୍କ ଜମା ଟଙ୍କା ପାଇଁ ଯେଉଁଭଳି ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଲା, ତାହା ବ୍ୟାଙ୍କିଙ୍ଗ ବ୍ୟବସ୍ଥାର ସମ୍ବେଦନହୀନତାକୁ ପଦାରେ ପକାଇଛି। ଏହି ପ୍ରସଙ୍ଗରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ପତ୍ର ଲେଖି ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।
କେନ୍ଦୁଝର ଜିଲ୍ଲାର ଜିତୁ ମୁଣ୍ଡା ନାମକ ଜଣେ ଗରିବ ଆଦିବାସୀ ବ୍ୟକ୍ତିଙ୍କ ଭଉଣୀଙ୍କର କିଛି ଦିନ ପୂର୍ବେ ମୃତ୍ୟୁ ହୋଇଥିଲା। ଭଉଣୀଙ୍କ ବ୍ୟାଙ୍କ ଖାତାରେ ଥିବା ୧୯,୩୦୦ ଟଙ୍କା ଉଠାଇବା ପାଇଁ ସେ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ (ମଲ୍ଲିପୋଷୀ ଶାଖା)କୁ ବାରମ୍ବାର ଦୌଡ଼ିଥିଲେ।
ଅଭିଯୋଗ ଅନୁଯାୟୀ, ବ୍ୟାଙ୍କ କର୍ତ୍ତୃପକ୍ଷ ଜିତୁଙ୍କୁ ସଠିକ୍ ମାର୍ଗଦର୍ଶନ ଦେବା ପରିବର୍ତ୍ତେ ନିୟମର ଦୁହାଇ ଦେଇ ଟଙ୍କା ଦେବାକୁ ମନା କରିଦେଇଥିଲେ। କିଛି ରିପୋର୍ଟ ଅନୁସାରେ, ବ୍ୟାଙ୍କ ପକ୍ଷରୁ ମୃତ୍ୟୁର ପ୍ରମାଣ କିମ୍ବା ଖାତାଧାରୀଙ୍କ ଉପସ୍ଥିତି ଦାବି କରାଯାଇଥିଲା।ନିରୁପାୟ ହୋଇ ଅଶିକ୍ଷିତ ଜିତୁ ନିଜ ଭଉଣୀଙ୍କ ଶବକୁ କବରରୁ ଖୋଳି ବାହାର କରିଥିଲେ ଏବଂ କଙ୍କାଳକୁ ଏକ ବସ୍ତାରେ ଭରି ୩ କିଲୋମିଟର ଚାଲି ଚାଲି ବ୍ୟାଙ୍କରେ ପହଞ୍ଚିଥିଲେ, ଯାହାଦ୍ୱାରା ସେ ମୃତ୍ୟୁର ‘ପ୍ରମାଣ’ ଦେଇପାରିବେ।
ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏହି ଘଟଣାକୁ “ଅମାନବୀୟ” ବୋଲି ଅଭିହିତ କରିଛନ୍ତି। ଅର୍ଥମନ୍ତ୍ରୀଙ୍କୁ ଲେଖିଥିବା ପତ୍ରରେ ସେ କହିଛନ୍ତି, ଏହି ଘଟଣା ପାଇଁ ଦାୟୀ ବ୍ୟାଙ୍କ ଅଧିକାରୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।ବ୍ୟାଙ୍କର ସ୍ପଷ୍ଟୀକରଣକୁ ସେ ସମାଲୋଚନା କରି କହିଛନ୍ତି ଯେ, ଗଣତନ୍ତ୍ରରେ ନିୟମ ନାଗରିକଙ୍କୁ ସଶକ୍ତ କରିବା ପାଇଁ, ସେମାନଙ୍କୁ ଅପମାନିତ କରିବା ପାଇଁ ନୁହେଁ।ଗ୍ରାମାଞ୍ଚଳ ଏବଂ ଆଦିବାସୀ ଅଞ୍ଚଳରେ ବ୍ୟାଙ୍କିଙ୍ଗ୍ ସେବାକୁ ଅଧିକ ମାନବୀୟ ଏବଂ ସମ୍ବେଦନଶୀଳ କରିବାକୁ ସେ ନିବେଦନ କରିଛନ୍ତି।
ଏହି ଘଟଣା କେବଳ ଭାରତରେ ନୁହେଁ, ବରଂ BBC ଏବଂ New York Post ଭଳି ଆନ୍ତର୍ଜାତୀୟ ଗଣମାଧ୍ୟମରେ ମଧ୍ୟ ସ୍ଥାନ ପାଇଛି, ଯାହା ଦେଶର ଭାବମୂର୍ତ୍ତି ଉପରେ ପ୍ରଭାବ ପକାଇଛି। ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପ୍ରଶାସନ ଜିତୁ ମୁଣ୍ଡାଙ୍କୁ ସହାୟତା ପ୍ରଦାନ କରିଛି, କିନ୍ତୁ ଭବିଷ୍ୟତରେ ଯେପରି କୌଣସି ଗରିବ ବ୍ୟକ୍ତିଙ୍କୁ ଏଭଳି ଦୁର୍ଦ୍ଦଶା ଭୋଗିବାକୁ ନପଡ଼େ, ସେଥିପାଇଁ ନବୀନ ପଟ୍ଟନାୟକ ଅର୍ଥମନ୍ତ୍ରୀଙ୍କ “ଦୟାଳୁ ହସ୍ତକ୍ଷେପ” ଲୋଡ଼ିଛନ୍ତି।




