ଭୁବନେଶ୍ୱର:ନୀତି ଆୟୋଗଙ୍କ ଆକର୍ଷଣୀୟ ନିବେଶ ସୂଚକାଙ୍କ (Investment Friendliness Index – IFI) ରିପୋର୍ଟରେ ଓଡ଼ିଶା ଦେଶର ଶ୍ରେଷ୍ଠ ୫ମ ସ୍ଥାନ ହାସଲ କରିବା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଖୁସି ପ୍ରକାଶ କରିଛନ୍ତି। ତେବେ ଏହା ସହ ସେ ବର୍ତ୍ତମାନର ବିଜେପି ସରକାରଙ୍କୁ କଠୋର ସମାଲୋଚନା କରିଛନ୍ତି। ନବୀନ ଅଭିଯୋଗ କରିଛନ୍ତି ଯେ ବିଜେଡି ଶାସନ କାଳର ସଫଳତା ଓ ଶାସନ ପ୍ରକ୍ରିୟାକୁ ବର୍ତ୍ତମାନର ବିଜେପି ସରକାର ନିଜର ବୋଲି ଦର୍ଶାଇ ବାହାବା ନେବାକୁ ଚେଷ୍ଟା କରୁଛି। ଆପଣଙ୍କ ‘X’ (ପୂର୍ବର ଟ୍ୱିଟର) ହ୍ୟାଣ୍ଡେଲରେ ନବୀନ ଲେଖିଛନ୍ତି ଯେ ନୀତି ଆୟୋଗଙ୍କ ୨୦୨୩–୨୪ ବର୍ଷର ଆକଳନ ଆଧାରରେ ପ୍ରସ୍ତୁତ ଏହି ରିପୋର୍ଟରେ ଓଡ଼ିଶା ୫୨.୪ ପ୍ରତିଶତ ସ୍କୋର ପାଇ ୫ମ ସ୍ଥାନରେ ରହିଛି।

ଗୁଜରାଟ ୫୬.୬ ପ୍ରତିଶତ ସହ ପ୍ରଥମ ସ୍ଥାନରେ ରହିଛି। ୨୦୦୦ ମସିହାର ଆର୍ଥିକ ଦେବାଳିଆ ସ୍ଥିତିରୁ ବାହାରି ଓଡ଼ିଶା ଆଜି ଦେଶର ଶ୍ରେଷ୍ଠ ନିବେଶ ଅନୁକୂଳ ରାଜ୍ୟ ଭାବେ ଛିଡ଼ା ହେବା ତାଙ୍କ ପାଇଁ ଅତ୍ୟନ୍ତ ସନ୍ତୋଷଜନକ। ଏହି ପରିବର୍ତ୍ତନ ବିଜେଡିର ନିରନ୍ତର ସଂସ୍କାର, ଆର୍ଥିକ ଶୃଙ୍ଖଳା ଏବଂ #5T ଶାସନ ନୀତିର ଫଳାଫଳ।

“ବିଜେଡି ସରକାରଙ୍କ କଠିନ ପରିଶ୍ରମ ଓ ସଂସ୍କାର କାରଣରୁ ଓଡ଼ିଶା ଆଜି ନିବେଶକଙ୍କ ପାଇଁ ଆକର୍ଷଣର କେନ୍ଦ୍ର ହୋଇପାରିଛି, ଯାହାକୁ ବର୍ତ୍ତମାନର ବିଜେପି ସରକାର ନିଜର ସଫଳତା ବୋଲି ଡେଙ୍ଗୁରା ପିଟୁଛନ୍ତି।” — ନବୀନ ପଟ୍ଟନାୟକ

ସେ ଆହୁରି ଦର୍ଶାଇଛନ୍ତି ଯେ ଅନେକ ‘ଡବଲ-ଇଞ୍ଜିନ୍’ ସରକାରଙ୍କୁ ପଛରେ ପକାଇ ଓଡ଼ିଶା ଆର୍ଥିକ ପରିଚାଳନାରେ ଦେଶରେ ଉଦାହରଣ ସୃଷ୍ଟି କରିଥିଲା। ରାଜ୍ୟର ମୋଟ ଋଣ ଭାର GSDP ର ମାତ୍ର ୧୬% ଏବଂ ସୁଧ ପରିଶୋଧ ମାତ୍ର ୧.୩୮% ଥିଲା, ଯାହା ଦେଶରେ ସବୁଠାରୁ କମ୍। ଏହି ସୁଦୃଢ଼ ଆର୍ଥିକ ସ୍ଥିତି ଯୋଗୁଁ କେନ୍ଦ୍ରୀୟ ଅନୁଦାନକୁ ଅପେକ୍ଷା ନକରି ରାଜ୍ୟ ସରକାର #BSKY, #KALIA, #MissionShakti, ସ୍କୁଲ ରୂପାନ୍ତରଣ, ଏବଂ ନିଜସ୍ୱ ଖାଉଟି ସୁରକ୍ଷା ପରି ଲୋକାଭିମୁଖୀ ଯୋଜନା ଚଳାଇ ପାରିଥିଲେ।

ତେବେ ବର୍ତ୍ତମାନର ଡବଲ-ଇଞ୍ଜିନ୍ ବିଜେପି ସରକାରଙ୍କ ଆର୍ଥିକ ଅପପରିଚାଳନା ଉପରେ ଚିନ୍ତା ପ୍ରକାଶ କରି ନବୀନ ସାବଧାନ କରାଇଛନ୍ତି ଯେ, ଏଭଳି ଚାଲିଲେ ରାଜ୍ୟ ପୁଣିଥରେ ୨୫ ବର୍ଷ ତଳର ସେହି ଦେବାଳିଆ ସ୍ଥିତିକୁ ଫେରିଯିବାର ଭୟ ରହିଛି।