ଭୁବନେଶ୍ୱର: ନେପାଳର ଭୋଟେ କୋଶୀ ନଦୀରେ ଆସିଥିବା ପ୍ରଳୟଙ୍କରୀ ଆକସ୍ମିକ ବନ୍ୟା ଓ ଭୂସ୍କଳନ ଯୋଗୁଁ ଘଟିଥିବା ବ୍ୟାପକ ଧନଜୀବନ ହାନି ଉପରେ ବିଜୁ ଜନତା ଦଳ ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।
ସୋସିଆଲ ମିଡିଆ ‘X’ ମାଧ୍ୟମରେ ଶୋକ ବାର୍ତ୍ତା ଦେଇ ନବୀନ ଲେଖିଛନ୍ତି ଯେ, ନେପାଳ ବନ୍ୟାରେ ଅନେକ ଲୋକ ଜୀବନ ହରାଇଥିବା ଖବର ଶୁଣି ସେ ଅତ୍ୟନ୍ତ ମର୍ମାହତ। ସେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ନିଖୋଜ ଥିବା ଭାରତୀୟମାନଙ୍କ ସୁରକ୍ଷିତ ଉଦ୍ଧାର ପାଇଁ ପ୍ରାର୍ଥନା କରିଛନ୍ତି। ଏଥିସହ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ସେ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛନ୍ତି।
ଅଷ୍ଟ୍ରେଲିଆରୁ ନେପାଳ ବୁଲିଯାଇ ନିଖୋଜ ଓଡ଼ିଆ ଦମ୍ପତି:ଏହି ପ୍ରଳୟଙ୍କରୀ ବନ୍ୟାରେ ଖୋର୍ଦ୍ଧା ଜିଲ୍ଲାର ଜଣେ ଓଡ଼ିଆ ଦମ୍ପତି – ସନ୍ଦୀପ ମହାପାତ୍ର ଏବଂ ସିଦ୍ଧାର୍ଥୀ କୁମାରୀ ସାହୁ ନିଖୋଜ ଅଛନ୍ତି।୨୦୧୮ ମସିହାରୁ ଅଷ୍ଟ୍ରେଲିଆରେ ରହୁଥିବା ଏହି ଦମ୍ପତି ଅଗଷ୍ଟ ୨୨ ତାରିଖରେ ନେପାଳ ବୁଲିବାକୁ ଯାଇଥିଲେ।ବର୍ତ୍ତମାନ ସେମାନଙ୍କର ମୋବାଇଲ୍ ଫୋନ୍ ସୁଇଚ୍ ଅଫ୍ ରହିଛି।ରାଜ୍ୟ ସରକାର ସନ୍ଦୀପଙ୍କ ଭଉଣୀଙ୍କଠାରୁ ସମସ୍ତ ତଥ୍ୟ ସଂଗ୍ରହ କରି ଜରୁରୀ କାର୍ଯ୍ୟାନୁଷ୍ଠାନ ପାଇଁ ବୈଦେଶିକ ମନ୍ତ୍ରଣାଳୟ (MEA) ସହ ସେୟାର କରିଛନ୍ତି।
ରାଜ୍ୟ କ୍ରୀଡ଼ା, ଯୁବସେବା ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ଯେ, ନେପାଳରେ ଫସିଥିବା ଓଡ଼ିଆଙ୍କୁ ଚିହ୍ନଟ କରିବା ଏବଂ ସେମାନଙ୍କ ପରିବାରକୁ ଖବର ଦେବା ପାଇଁ ଭାରତ ସରକାରଙ୍କ ଅଧିକାରୀଙ୍କ ସହ ନିରନ୍ତର ସମନ୍ୱୟ ରକ୍ଷା କରାଯାଉଛି।ଅନ୍ୟପଟେ, ବୈଦେଶିକ ମନ୍ତ୍ରଣାଳୟ (MEA) ଗୁରୁବାର ନିଶ୍ଚିତ କରିଛି ଯେ ଏହି ବିପର୍ଯ୍ୟୟ ପରେ ନେପାଳରେ ପ୍ରାୟ ୨୯୦ ଜଣ ଭାରତୀୟ ଅପତ୍ତା ରହିଛନ୍ତି, ଯେଉଁମାନଙ୍କ ସହ ଯୋଗାଯୋଗ ହୋଇପାରୁ ନାହିଁ।




