ଭୁବନେଶ୍ୱର: ନେପାଳରେ ସୃଷ୍ଟି ହୋଇଥିବା ପ୍ରଳୟଙ୍କରୀ ଆକସ୍ମିକ ବନ୍ୟା ପରିସ୍ଥିତି ମଧ୍ୟରେ ଓଡ଼ିଶାବାସୀଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ସେଠାରେ ଫୁଟବଲ୍ ମ୍ୟାଚ୍ ଖେଳିବାକୁ ଯାଇଥିବା ଓଡ଼ିଶାର ୬ ଜଣ ଯୁବ ଫୁଟବଲ୍ ଖେଳାଳି ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ରାଜ୍ୟ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଗୁରୁବାର ସୂଚନା ଦେଇଛନ୍ତି।
ମନ୍ତ୍ରୀ କହିଛନ୍ତି ଯେ, ନୋଡାଲ ଅଫିସର ସମସ୍ତ ଖେଳାଳିଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି। ସେମାନଙ୍କୁ ସୁରକ୍ଷିତ ଭାବେ ଓଡ଼ିଶା ଫେରାଇ ଆଣିବା ପାଇଁ ଜଣେ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ଓଡ଼ିଶା ସରକାର ନେପାଳ ସରକାର ଏବଂ ଗୃହ ମନ୍ତ୍ରଣାଳୟ ସହ ନିରନ୍ତର ଯୋଗାଯୋଗରେ ଅଛନ୍ତି। ଖୁବ୍ ଶୀଘ୍ର ଖେଳାଳିମାନଙ୍କୁ ସ୍ୱଦେଶ ଫେରାଇ ଅଣାଯିବ।
ନେପାଳରେ ଆସିଥିବା ଏହି ଭୟାବହ ବନ୍ୟାରେ ୧୭୨ରୁ ଉର୍ଦ୍ଧ୍ୱ ଲୋକଙ୍କ ପ୍ରାଣହାନି ଘଟିଥିବା ବେଳେ ହଜାରରୁ ଅଧିକ ଲୋକ ନିଖୋଜ ଅଛନ୍ତି। ପ୍ରଭାବିତ ଅଞ୍ଚଳରେ ଓଡ଼ିଶାର ଏକ ଦମ୍ପତିଙ୍କ ସମେତ ପ୍ରାୟ ୧୩୫ ଜଣ ଭାରତୀୟ ଏବଂ ଅନେକ ପର୍ଯ୍ୟଟକ ଫସି ରହିଛନ୍ତି।
ବନ୍ୟା ବିପର୍ଯ୍ୟୟରେ ଫସିରହିଥିବା ଓଡ଼ିଶାର ନାଗରିକଙ୍କ ସହାୟତା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନୂଆଦିଲ୍ଲୀରେ ଏକ ସ୍ୱତନ୍ତ୍ର କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି। ଏହା ସହ ଜରୁରୀ ସୂଚନା ଓ ସହାୟତା ପାଇଁ ହେଲ୍ପଲାଇନ୍ ନମ୍ବର ଜାରି କରାଯାଇଛି।
- ହେଲ୍ପଲାଇନ୍ ନମ୍ବର: +91-7428135044, +91-8527580245, 011-23012807
‘ଓଡ଼ିଶା ପରିବାର’ ନିର୍ଦ୍ଦେଶାଳୟର ସ୍ୱତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ ପ୍ରୀତିଶ ପଣ୍ଡାଙ୍କୁ ଏହି ସମଗ୍ର ସହାୟତା ଓ ସମନ୍ୱୟ କାର୍ଯ୍ୟ ପାଇଁ ନୋଡାଲ ଅଫିସର ଭାବେ ନିଯୁକ୍ତ କରାଯାଇଛି।




