ଭୁବନେଶ୍ୱର: ଢେଙ୍କାନାଳ ଜିଲ୍ଲାର କଙ୍କଡାହାଡ ଅଞ୍ଚଳର ଜଣେ ୧୭ ବର୍ଷୀୟା ଆଦିବାସୀ ନାବାଳିକାଙ୍କୁ ଉତ୍ତରପ୍ରଦେଶକୁ ଚାଲାଣ କରି ନିର୍ଯାତନା ଦେବା ଅଭିଯୋଗ ମାମଲାରେ ଜାତୀୟ ମାନବାଧିକାର କମିସନ (NHRC) ହସ୍ତକ୍ଷେପ କରିଛି। ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି କମିସନ ଓଡ଼ିଶା ଓ ଉତ୍ତରପ୍ରଦେଶ ପୁଲିସ ମହାନିର୍ଦ୍ଦେଶକଙ୍କ ସହ ଢେଙ୍କାନାଳ ଜିଲ୍ଲା ପ୍ରଶାସନଙ୍କୁ ନୋଟିସ୍ ଜାରି କରିଛି।
ରିପୋର୍ଟ ଅନୁସାରେ, ଚାକିରି ଦେବା ପ୍ରଲୋଭନ ଦେଖାଇ ପୀଡିତାଙ୍କ ସହ ଅନ୍ୟ ତିନି ଜଣ ବାଳିକାଙ୍କୁ ଉତ୍ତରପ୍ରଦେଶର ଝାନ୍ସୀ ଅଞ୍ଚଳକୁ ନିଆଯାଇଥିଲା। ସେଠାରେ ନାବାଳିକାଙ୍କୁ ଦୀର୍ଘ ସମୟ ଧରି ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି।
ପରେ ନାବାଳିକା ସ୍ଥାନୀୟ ସହଯୋଗରେ ସେଠାରୁ ଖସି ଆସି ଝାନ୍ସୀ ପୁଲିସ ନିକଟରେ ଅଭିଯୋଗ କରିଥିଲେ। ଉତ୍ତରପ୍ରଦେଶ ପୁଲିସ ତାଙ୍କ ବୟାନ ରେକର୍ଡ କରିବା ପରେ ତାଙ୍କୁ ଓଡ଼ିଶା ଫେରାଇବା ବ୍ୟବସ୍ଥା କରିଥିଲା। ଫେରିବା ପରେ ଓଡ଼ିଶା ପୁଲିସ ମଧ୍ୟ ପୀଡିତାଙ୍କ ବୟାନ ନେଇ ତଦନ୍ତ ଆରମ୍ଭ କରିଛି।
ଏନ୍ଏଚ୍ଆରସି କହିଛି, ଯଦି ରିପୋର୍ଟରେ ଉଲ୍ଲେଖ ହୋଇଥିବା ଅଭିଯୋଗ ସତ୍ୟ ପ୍ରମାଣିତ ହୁଏ, ତେବେ ଏହା ଗୁରୁତର ମାନବାଧିକାର ଉଲ୍ଲଂଘନ ଭାବେ ଗଣାଯିବ। ଏହି ପରିପ୍ରେକ୍ଷୀରେ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଦୁଇ ସପ୍ତାହ ମଧ୍ୟରେ ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି।
କମିସନ ତଦନ୍ତର ବର୍ତ୍ତମାନ ସ୍ଥିତି, ପୀଡିତାଙ୍କୁ ଦିଆଯାଇଥିବା ସହାୟତା, ସୁରକ୍ଷା ଏବଂ ପୁନର୍ବାସ ପଦକ୍ଷେପ ସମ୍ପର୍କରେ ମଧ୍ୟ ସୂଚନା ଚାହିଁଛି।
ସୂଚନାଯୋଗ୍ୟ, ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟରେ ପୀଡିତାଙ୍କୁ ଦୀର୍ଘ ସମୟ ଧରି ଅଟକ ରଖାଯାଇଥିବା ଓ ଶୋଷଣର ଅଭିଯୋଗ ଉଠିଥିଲା। ଏହି ଘଟଣା ରାଜ୍ୟରେ ମାନବ ଚାଲାଣ ଓ ନାବାଳିକା ସୁରକ୍ଷା ପ୍ରସଙ୍ଗକୁ ପୁଣିଥରେ ଚର୍ଚ୍ଚାକୁ ଆଣିଛି।




