ଭୁବନେଶ୍ୱର: ରାଜ୍ୟରେ ଜାରି ରହିଥିବା କାଳବୈଶାଖୀ ପ୍ରଭାବରେ ସାମାନ୍ୟ ଆଶ୍ୱସ୍ତି ମିଳିଛି। ପ୍ରବଳ ଗ୍ରୀଷ୍ମ ପ୍ରବାହରୁ ମୁକ୍ତି ମିଳିଥିବା ବେଳେ ଏବେ ଝଡ଼ବର୍ଷା ସାରା ଓଡ଼ିଶାକୁ ଭିଜାଇବାକୁ ପ୍ରସ୍ତୁତ ହେଉଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ଏକ ସକ୍ରିୟ ଟ୍ରପ୍ ଲାଇନ ପ୍ରଭାବରେ ଆଜିଠାରୁ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବ। ଆଗାମୀ ୨୪ ଘଣ୍ଟା ମଧ୍ୟରେ ସାରା ଓଡ଼ିଶାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ଏବଂ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ପାଣିପାଗ ବିଭାଗ ପକ୍ଷରୁ ଆଜି କାଳବୈଶାଖୀର ସାଙ୍ଘାତିକ ପ୍ରଭାବକୁ ଦୃଷ୍ଟିରେ ରଖି ରାଜ୍ୟର ୧୩ଟି ଜିଲ୍ଲା ତଥା କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ, ଦେଓଗଡ଼, ସମ୍ବଲପୁର ଏବଂ ସୁନ୍ଦରଗଡ଼କୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।

ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ସହିତ ଘଣ୍ଟାପ୍ରତି ୫୦ ରୁ ୬୦ କିଲୋମିଟର ବେଗରେ ଝଡ଼ପବନ ବହିବାର ଆଶଙ୍କା ରହିଛି। ଏହାସହ ଅବଶିଷ୍ଟ ୧୭ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି, ଯେଉଁଠାରେ ୩୦ ରୁ ୫୦ କିମି ବେଗରେ ପବନ ସହ ବଜ୍ରପାତ ହୋଇପାରେ।

ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ଆଗାମୀ ୨୪ ଘଣ୍ଟା ମଧ୍ୟରେ ଦିନର ତାପମାତ୍ରା ପ୍ରାୟ ୨ ରୁ ୩ ଡିଗ୍ରୀ ସେଲସିୟସ ହ୍ରାସ ପାଇବ। ଗ୍ରୀଷ୍ମ ପ୍ରବାହର ଚେତାବନୀ ହଟାଯାଇଥିଲେ ମଧ୍ୟ ଲୋକଙ୍କୁ ଗରମରୁ ସମ୍ପୂର୍ଣ୍ଣ ନିସ୍ତାର ମିଳିବ ନାହିଁ। ବାୟୁମଣ୍ଡଳରେ ଆଦ୍ରତା ଅଧିକ ରହିବା ଯୋଗୁଁ ବିଶେଷ କରି ଉପକୂଳ ଓଡ଼ିଶାର ୧୧ଟି ଜିଲ୍ଲାରେ ପ୍ରବଳ ଗୁଳୁଗୁଳି ସ୍ଥିତି ଲାଗି ରହିବ। ଏଥିପାଇଁ ଉପକୂଳବର୍ତ୍ତୀ ଅଞ୍ଚଳକୁ ସତର୍କ ସୂଚନା ଦିଆଯାଇଛି।

ରାଜ୍ୟରେ ପ୍ରବଳ ଗରମର ପ୍ରଭାବ ଆସନ୍ତା ଜୁନ୍ ୧ ତାରିଖ ପର୍ଯ୍ୟନ୍ତ ରହିବାକୁ ଥିବା ବେଳେ କାଳବୈଶାଖୀ ଜନିତ ଝଡ଼ବର୍ଷା ଜୁନ୍ ୩ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ମୋଟାମୋଟି ଭାବେ ଆସନ୍ତା ୭ ଦିନ ପର୍ଯ୍ୟନ୍ତ ଓଡ଼ିଶାରେ କାଳବୈଶାଖୀର ପାଗ ଅନୁଭୂତ ହେବ। ବଜ୍ରପାତ ସମୟରେ ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ରହିବାକୁ ଏବଂ ବାହାରକୁ ନବାହାରିବାକୁ ପ୍ରଶାସନ ପକ୍ଷରୁ ପରାମର୍ଷ ଦିଆଯାଇଛି।