ଭୁବନେଶ୍ୱର: ପ୍ରତିଷ୍ଠିତ ‘ସେମିକନ୍ ଇଣ୍ଡିଆ’ (SEMICON India) ପ୍ରଦର୍ଶନୀରେ ଏନ୍‌ଆଇଟି ରାଉରକେଲା (NIT Rourkela) ଦ୍ୱାରା ପ୍ରସ୍ତୁତ ଦେଶୀୟ ସେମିକଣ୍ଡକ୍ଟର ଚିପ୍ ଡିଜାଇନ୍ ସ୍ଥାନ ପାଇବା ପରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଶଂସା କରିଛନ୍ତି। ଏହା ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଏକ ଅତ୍ୟନ୍ତ ଗୌରବର ମୁହୂର୍ତ୍ତ ବୋଲି ବର୍ଣ୍ଣନା କରିବା ସହ ରାଜ୍ୟର ଅନୁଷ୍ଠାନଗୁଡ଼ିକର ମେଧା, ନବସୃଜନ ଏବଂ ଗବେଷଣା ଦକ୍ଷତାର ଜ୍ୱଳନ୍ତ ପ୍ରମାଣ ବୋଲି ସେ କହିଛନ୍ତି।

ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ (ପୂର୍ବରୁ ଟ୍ୱିଟର) ରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ, ଭାରତର ସେମିକଣ୍ଡକ୍ଟର କ୍ଷେତ୍ରରେ ଆସୁଥିବା ବୈପ୍ଲବିକ ପରିବର୍ତ୍ତନ ଦେଶକୁ ଆତ୍ମନିର୍ଭରଶୀଳତା ଦିଗରେ ନେଇଯାଉଛି।

ମୁଖ୍ୟମନ୍ତ୍ରୀ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ ଏବଂ କେନ୍ଦ୍ର ଆଇଟି ଓ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ନିରନ୍ତର ଉଦ୍ୟମ ଯୋଗୁଁ ଭାରତ ସେମିକଣ୍ଡକ୍ଟର କ୍ଷେତ୍ରରେ ଏକ ମଜବୁତ ଏବଂ ସ୍ୱାବଲମ୍ବୀ ପରିବେଶ ଗଢ଼ିତୋଳିବାରେ ସଫଳ ହେଉଛି। ଏହି ବିଶାଳ ସଫଳତା ପାଇଁ ସେ ଏନ୍‌ଆଇଟି ରାଉରକେଲାର ବୈଜ୍ଞାନିକ, ଗବେଷକ ଏବଂ ସମଗ୍ର ଟିମ୍‌କୁ ଆନ୍ତରିକ ଅଭିନନ୍ଦନ ଜଣାଇଛନ୍ତି।

ସେମିକନ୍ ଇଣ୍ଡିଆରେ ପ୍ରଦର୍ଶିତ ‘ମେଡ୍‌-ଇନ୍-ଇଣ୍ଡିଆ’ ସେମିକଣ୍ଡକ୍ଟର ଚିପ୍‌ଗୁଡ଼ିକ ମଧ୍ୟରେ ଏନ୍‌ଆଇଟି ରାଉରକେଲା ଦ୍ୱାରା ବିକଶିତ ଚିପ୍ ଡିଜାଇନ୍ ପ୍ରଦର୍ଶିତ ହେବା ରାଜ୍ୟ ପାଇଁ ଏକ ବଡ଼ ସଫଳତା।

ସୂଚନାଯୋଗ୍ୟ ଯେ, ଭାରତକୁ ସେମିକଣ୍ଡକ୍ଟର ନିର୍ମାଣର କେନ୍ଦ୍ରବିନ୍ଦୁ ଭାବେ ଗଢ଼ିତୋଳିବାକୁ କେନ୍ଦ୍ର ସରକାର ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଏହି ଜାତୀୟ ଅଭିଯାନରେ ଓଡ଼ିଶାର ବୈଷୟିକ ମେଧା ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଉଥିବାରୁ ଏହା ରାଜ୍ୟର ଶିକ୍ଷା ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରକୁ ଆହୁରି ଆଗକୁ ନେବ ବୋଲି ଆଶା କରାଯାଉଛି।