ଭୁବନେଶ୍ୱର: ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଓଡ଼ିଶାର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ ଶେଷ ହୋଇଥିବା ଛାତ୍ର ସଂସଦ ନିର୍ବାଚନରେ ଆଖିଲ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP) ର ଶାନ୍ଦାର ବିଜୟ ପରେ କାର୍ଯ୍ୟକର୍ତ୍ତା ଓ ନବନିର୍ବାଚିତ ଛାତ୍ର ପ୍ରତିନିଧିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବିଜେପି ରାଷ୍ଟ୍ରୀୟ ସଭାପତି ନିତିନ ନବୀନ। ଏହି ବିଜୟ ଓଡ଼ିଶାର ଯୁବସମାଜର ରାଷ୍ଟ୍ରବାଦ ଏବଂ ରାଷ୍ଟ୍ରହିତ ପ୍ରତି ଥିବା ଅଗାଧ ବିଶ୍ୱାସକୁ ପ୍ରତିଫଳିତ କରୁଛି ବୋଲି ସେ ପ୍ରକାଶ କରିଛନ୍ତି।

ନିଜ ବାର୍ତ୍ତାରେ ନିତିନ ନବୀନ କହିଛନ୍ତି ଯେ, “ଓଡ଼ିଶା ଛାତ୍ର ସଂସଦ ନିର୍ବାଚନରେ ଆଖିଲ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଏହି ଐତିହାସିକ ବିଜୟ ପାଇଁ ସମସ୍ତ ବିଜୟୀ ପ୍ରାର୍ଥୀ ଏବଂ ନିଷ୍ଠାପର କାର୍ଯ୍ୟକର୍ତ୍ତାଙ୍କୁ ମୋର ଆନ୍ତରିକ ଅଭିନନ୍ଦନ। ଯୁବସମାଜ ନାମରେ ଅରାଜକତା ସୃଷ୍ଟି କରୁଥିବା ରାଜନୀତିକୁ ପ୍ରତ୍ୟାଖ୍ୟାନ କରି ଆଜିର ଯୁବପିଢ଼ି ରାଷ୍ଟ୍ରବାଦ ଉପରେ ଦୃଢ଼ ଆସ୍ଥା ପ୍ରକଟ କରିଛନ୍ତି। ସ୍ୱାମୀ ବିବେକାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଭାରତର ଯୁବଶକ୍ତି ଆଜି ‘ବିକଶିତ ଭାରତ @୨୦୪୭’ ସଂକଳ୍ପକୁ ସାକାର କରିବା ପାଇଁ ଆଗେଇ ଚାଲିଛନ୍ତି।”

ଏହାପୂର୍ବରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଏବିଭିପିର ସଫଳତା ପାଇଁ ସଂଗଠନକୁ ଅଭିନନ୍ଦନ ଜଣାଇଥିଲେ। ସେ କହିଥିଲେ ଯେ, ଏହି ଜନାଦେଶ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ପ୍ରତି ନୂତନ ପିଢ଼ି ବା ଜେନ୍-ଜି (Gen Z) ର ଦୃଢ଼ ଆସ୍ଥା ଓ ଭରସାକୁ ଦର୍ଶାଉଛି। ଏବିଭିପି ଜ୍ଞାନ, ଶୀଳ ଏବଂ ଏକତାର ଆଦର୍ଶକୁ ପାଥେୟ କରି କ୍ୟାମ୍ପସଗୁଡ଼ିକରେ ଏକ ସୁସ୍ଥ ଶୈକ୍ଷଣିକ ପରିବେଶ ସୃଷ୍ଟି କରିବ ବୋଲି ସେ ଆଶାପ୍ରକାଶ କରିଥିଲେ।

ସୂଚନାଯୋଗ୍ୟ ଯେ, ଅକ୍ଟୋବର ୧୫ ତାରିଖରେ ରାଜ୍ୟର ୩୩୭ଟି ଉଚ୍ଚଶିକ୍ଷା ଅନୁଷ୍ଠାନରେ ୫୬ ପ୍ରତିଶତ ମତଦାନ ସହ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିରେ କଲେଜଗୁଡ଼ିକରୁ ୩,୪୫୩ ଜଣ ଏବଂ ବିଶ୍ୱବିଦ୍ୟାଳୟଗୁଡ଼ିକରୁ ୧୫୭ ଜଣଙ୍କୁ ମିଶାଇ ସମୁଦାୟ ୩,୬୧୦ ଜଣ ପ୍ରାର୍ଥୀ ବିଜୟୀ ହୋଇଛନ୍ତି।