ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାରେ ବନ୍ୟା ସ୍ଥିତି ଗମ୍ଭୀର ରହିଥିବା ସତ୍ତ୍ୱେ କୌଣସି କୃଷ୍ଣସାର ମୃଗ ଙ୍କ ମୃତ୍ୟୁ ଘଟିନାହିଁ। ବନ୍ୟାର ପ୍ରବଳ ସ୍ରୋତରେ ଭାସିଯାଇଥିବା କୃଷ୍ଣସାର ମୃଗଗୁଡ଼ିକ ସଫଳତାର ସହ ନଦୀ ପାର ହୋଇ ନିକଟସ୍ଥ ଜଙ୍ଗଲି ଅଞ୍ଚଳରେ ସୁରକ୍ଷିତ ଭାବେ ପହଞ୍ଚିଛନ୍ତି ବୋଲି ସରକାରୀ ସ୍ତରରେ ସ୍ପଷ୍ଟ କରାଯାଇଛି।
ଶୁକ୍ରବାର ଓଡ଼ିଶା ସୂଚନା ଓ ଲୋକସମ୍ପର୍କ (I&PR) ବିଭାଗ ପକ୍ଷରୁ ଜାରି ଏକ ସରକାରୀ ବିବୃତ୍ତି ଅନୁଯାୟୀ, ଦକ୍ଷିଣ ଓଡ଼ିଶାରେ ସୃଷ୍ଟି ହୋଇଥିବା ପ୍ରବଳ ବନ୍ୟା ଯୋଗୁଁ କୃଷ୍ଣସାର ମୃଗ ଭାସିଯାଉଥିବା ନେଇ ବିଭିନ୍ନ ଗଣମାଧ୍ୟମ ଓ ସୋସିଆଲ ମିଡିଆରେ ଖବର ପ୍ରଚାରିତ ହେଉଥିଲା। ତେବେ ଏହି ଘଟଣା ଉପରେ ସ୍ପଷ୍ଟୀକରଣ ଦେଇ ବିଭାଗ କହିଛି ଯେ, ପ୍ରବଳ ଜଳସ୍ରୋତ ଯୋଗୁଁ କିଛି ମୃଗ ଭାସିଯାଇଥିଲେ ମଧ୍ୟ ସେମାନେ ନିଜ ସାହସ ଓ ସନ୍ତରଣ ବଳରେ ନଦୀ ପାର ହୋଇ ସୁରକ୍ଷିତ ଭାବେ ଜଙ୍ଗଲକୁ ଚାଲିଯାଇଛନ୍ତି।
ସମ୍ପୃକ୍ତ ବନଖଣ୍ଡ ଅଧିକାରୀ (DFO) ଙ୍କଠାରୁ ମିଳିଥିବା ରିପୋର୍ଟକୁ ଆଧାର କରି ବିଭାଗ ଜଣାଇଛି ଯେ, ଏହି ବନ୍ୟାଜନିତ ଘଟଣାରେ ଗୋଟିଏ ହେଲେ କୃଷ୍ଣସାର ମୃଗର ମୃତ୍ୟୁ ହୋଇନାହିଁ। ସମସ୍ତ ବନ୍ୟପ୍ରାଣୀ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି।
ଗଞ୍ଜାମ ଜିଲ୍ଲାର ବଡମାଧପୁର, କାଞ୍ଚପୁର ଓ ଭେଟନୋଈ ଆଦି ଅଞ୍ଚଳ କୃଷ୍ଣସାର ମୃଗଙ୍କ ପ୍ରସିଦ୍ଧ ପ୍ରାକୃତିକ ଆବାସସ୍ଥଳୀ। ବନ୍ୟା ଜଳ ମାଡ଼ିଆସିବା ପରେ ଏହି ବିରଳ ପ୍ରଜାତିର ଜୀବଜନ୍ତୁଙ୍କ ସୁରକ୍ଷାକୁ ନେଇ ବନ୍ୟପ୍ରାଣୀ ପ୍ରେମୀ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଗଭୀର ଚିନ୍ତା ପ୍ରକାଶ ପାଇଥିଲା। ସରକାରୀ ସ୍ପଷ୍ଟୀକରଣ ପରେ ଏବେ ଏହି ଆଶଙ୍କା ଦୂର ହୋଇଛି। ବନ ବିଭାଗ ପକ୍ଷରୁ ସମଗ୍ର ଅଞ୍ଚଳରେ ନଜର ରଖାଯାଇଛି।




