ଭୁବନେଶ୍ୱର: Mohan Charan Majhi ଆଜି ଲୋକସେବା ଭବନରେ ଓଡ଼ିଶା ସିଭିଲ ସର୍ଭିସ୍‌ (ଓସିଏସ୍‌)-୨୦୨୪ ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରିଥିବା କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ତୋଳଙ୍କପଡ଼ା ଗ୍ରାମର ବୁବୁନ ସାହୁଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଏହି ଉଲ୍ଲେଖନୀୟ ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଜନସେବା ହେଉଛି ପ୍ରଶାସନର ମୂଳ ଲକ୍ଷ୍ୟ। ସୁଶାସନ ଓ ଶେଷ ମାଇଲ୍‌ ପର୍ଯ୍ୟନ୍ତ ସରକାରୀ ସେବା ପହଞ୍ଚାଇବା ସହ ସମାଜର ଶିଶୁ, ମହିଳା ଏବଂ ସାମାଜିକ ଓ ଶିକ୍ଷାଗତ ଭାବେ ପଛୁଆ ବର୍ଗଙ୍କ ଉନ୍ନତି ପାଇଁ ସମର୍ପିତ ଭାବେ କାମ କରିବାକୁ ସେ ପରାମର୍ଶ ଦେଇଥିଲେ।

ସେ ଆହୁରି କହିଥିଲେ ଯେ, ଜଣେ ଭଲ ପ୍ରଶାସକ ସହ ଜଣେ ଭଲ ମଣିଷ ଭାବେ ନିଜକୁ ଗଢ଼ି ତୋଳିବା ଆବଶ୍ୟକ।

ବୁବୁନ ସାହୁ ଗତ ବର୍ଷ Odisha Police ସେବାରେ ଚୟନ ହୋଇଥିଲେ। ବର୍ତ୍ତମାନ ସେ ଡିଏସ୍‌ପି ଭାବେ ଭୁବନେଶ୍ୱରସ୍ଥିତ Biju Patnaik State Police Academyରେ ୨୦୨୬ ମାର୍ଚ୍ଚ ଠାରୁ ପ୍ରଶିକ୍ଷଣ ନେଉଛନ୍ତି।

ବୁବୁନଙ୍କ ପିତା ଭଗବାନ ସାହୁ ଜଣେ କୃଷକ ଏବଂ ମାତା କୁଞ୍ଜଲତା ସାହୁ ଜଣେ ଗୃହିଣୀ। ପୁଅର ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ଉଭୟଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଥିଲେ।